ପୁରୁଷୋତ୍ତମ ଦେବ- 18
ପୁରୁଷୋତ୍ତମ ଦେବ- 18
(ଐତିହାସିକ କାବ୍ୟାଂଶ)
----------------------------
ଉତ୍କଳ ବାହିନୀ ଫେରି ଆସିଛନ୍ତି
ଘୋର ଅପମାନ ପାଇ,
ଏଣେ ଶ୍ରୀମନ୍ଦିରେ ହସ ହସ ମୁଖେ
ବସିଥିଲେ ଲକ୍ଷ୍ମୀସାଇଁ।
କହୁଛନ୍ତି ଲକ୍ଷ୍ମୀ "ତିଳେମାତ୍ର ଚିନ୍ତା
ନାହିଁ ତ କଳାଠାକୁର,
ଠାକୁର ମହିମା କଳଙ୍କିତ ହେଉ-
ଅଛି ହେ ବ୍ରଜସୁନ୍ଦର !
ତୁମ୍ଭର ସେବକ ଯୁଦ୍ଧେ ହାରିଯାଇ
ଅପମାନେ ଜର୍ଜରିତ,
ଷାଠିଏ ପଉଟି ଖାଇ,ଶ୍ରୀମନ୍ଦିରେ
ଚିନ୍ତାହୀନ ଜଗନ୍ନାଥ ।
କଲା ବୋଲି ନନ୍ଦିଘୋଷ ସମାର୍ଜନା
ପାଏ ଏଡେ ଅପମାନ !
ଠାକୁର କୀରତି ଚନ୍ଦ୍ରମାରେ କଳା
ନଲାଗେ କି ଭଗବାନ ?"
ସ୍ମୀତ ହସି କମଳାଙ୍କୁ କହୁଛନ୍ତି
ପ୍ରଭୁ ଗୋଲୋକ ବିହାରୀ,
"ମୋର ଆଜ୍ଞାମାଳ ନପାଇ ଉତ୍କଳ
ରାଜା ଗଲେ ଯୁଦ୍ଧ କରି।
ସବୁ କାର୍ଯ୍ଯ ପାଇଁ ସମୟ ,ମୁହୁର୍ତ୍ତ
ହୋଇଥାଏ ପ୍ରିୟେ ଧାର୍ଯ୍ଯ,
ନମିଳଇ ସଫଳତା ତା ପୂର୍ବରୁ
ଆରମ୍ଭିଲେ ସେହି କାର୍ଯ୍ଯ ।
ଶାଲ୍ୱନରସିଂହଠାରୁ ଅପମାନ
ପାଇ ଉତ୍କଳ ନରେଶ,
ଭାବାବେଗବଶେ କାଞ୍ଚି ବିରୁଦ୍ଧରେ
କରିଲେ ରଣ ଉଦ୍ଘୋଷ।
ନକରି ଉଚିତ ପ୍ରାୟୋଜନ ପୁଣି
ଯୁଦ୍ଧ କୌଶଳ ସିଦ୍ଧାନ୍ତ,
ପତଙ୍ଗ ସମାନ ରଣକୁ ଡେଇଁଲେ
ହୁଏ ଏହିପରି ଅନ୍ତ।
ଜରାସନ୍ଧ କଲା ସପ୍ତଦଶ ବାର
ମଥୁରାକୁ ଆକ୍ରମଣ,
ତ୍ୟାଗ କଲି ବୋଲି ମଥୁରା,ମୋନାମ
"ରଣଛଡା ନାରାୟଣ"।
ଏପରି ଦୁର୍ନାମ ମନଆନନ୍ଦରେ
ନେଇ ନଥିଲି ମୁଁ ପ୍ରିୟେ,
ଅପେକ୍ଷାରେ ରହି ଜରାସନ୍ଧ ଧ୍ୱଂସ
କଲି ଉଚିତ ସମୟେ।
ଗୋମନ୍ତକ ପର୍ବତରେ ଲୁଚିରହି
ଜ୍ୟେଷ୍ଠ ଭ୍ରାତାଙ୍କ ସହିତ,
ସମୟ ସୁଯୋଗ ଦେଖି ଜରାସନ୍ଧ
ବାହିନୀକୁ କଲି ଧ୍ୱସ୍ତ।
ମୁଚୁକୁନ୍ଦ ଋଷି ଚକ୍ଷୁ କୋପାନଳେ
କାଳଯବନ ନାଶିଲି,
ସମୟ କ୍ରମରେ ଭୀମସେନ ହସ୍ତେ
ଜରାସନ୍ଧ ବଧ କଲି।
ସବୁ ସମୟରେ ଶକ୍ତିବଳେ କାର୍ଯ୍ଯ
ସାଧିତ ନହୁଏ ପ୍ରିୟେ,
ଯୁଦ୍ଧରେ ବିଜୟ ,ବଳରୁ ଅଧିକ
କୌଶଳରେ ହୋଇଥାଏ।
ସର୍ବଦା ମୋ 'ଆଜ୍ଞାମାଳ' ନେଇ ଯୁଦ୍ଧ-
ଜିଣୁଥିଲେ କପିଳେନ୍ଦ୍ର,
ମୋ ନିର୍ଦ୍ଦେଶ ବିନା ରଣ ଜିଣି ପାରି-
ବେକି ଉତ୍କଳ ନରେନ୍ଦ୍ର ?
ଉତ୍କଳର ଶକ୍ତି ଆଗେ କାଂଚୀ ରାଜା
ପବନରେ ତୁଳା ସରି,
ସହଜ କାମକୁ ସଠିକେ ନକଲେ
ଲାଗେ ସେ ପାହାଡପରି।"
ଏଣେ ଅଭିମାନପୂର୍ଣ୍ଣ ମନ ନେଇ
ଗଜପତି ମହାତମା,
ଶ୍ରୀଜିଉଙ୍କ ପାଶେ ସାଷ୍ଟାଙ୍ଗେ ପ୍ରଣମି
କହିଲେ "ଶୁଣ ମଣିମା।
ଯାଉଛି ମୁଁ ଯୁଦ୍ଧେ କାଲି ପ୍ରଭାତରୁ
କାଂଚୀଗଡ ଜିଣିବାକୁ,
ଆଜ୍ଞାମାଳ ଦେଇ କୃପାକର ପ୍ରଭୁ
ତୁମ୍ଭ ଦାସାନୁଦାସକୁ।
ତୁମ୍ଭ ଅପମାନ ପାଇଁ ଏହି ରଣ
କୃପା ରଖିଥିବ ମୋରେ,
ତୁମ୍ଭର ମହିମା ଟେକ ରଖିଥିବ
ତୁମ୍ଭେ ମୋ କଳାଠାକୁରେ।
ମୁହିଁ କିବା ଛାର ଯୁଦ୍ଧେ ହେଲେ ହାର
ପ୍ରାଣ ଦେବି ବୀର ସମ,
ଠାକୁର ମହିମା ରାହୁଗ୍ରସ୍ତ ହେବ
ହେବ ଘୋର ଅପମାନ।"
କ୍ରମଶଃ-------