ନେତାଙ୍କ ସମୟ ଜ୍ଞାନ
ନେତାଙ୍କ ସମୟ ଜ୍ଞାନ
ନୂଆ ନୂଆ କରି ମନ୍ତ୍ରୀ ହେଇଛନ୍ତି
ଆମ ଗାଁ କୁଜିନେତା
ତୋଷାମୋଦିଆଙ୍କ ଜମିଅଛି ଭିଡ
ଆଗ ପଛେ ଦେଖ କେ’ନ୍ତା ।
ଚାଲୁଛନ୍ତି ମନ୍ତ୍ରୀ ଛାତିକୁ ଫୁଲେଇ
କୁର୍ତ୍ତା ପାଇଜାମା ପିନ୍ଧି
ଗର୍ଭିଣୀ ଗାଈ ବି ବାଟ ଛାଡିଦେବ
ଏମିତିଆ କରାମତି ।
ଆଜି ଯାଏଁ ଥିଲେ ନେତାଙ୍କ ଚାମଚା
ସହୁଥଲେ ଗାଳିମନ୍ଦ
ଆଖି କାନ ବୁଜି ପଡି ରହିଥିଲେ
ହଜେଇକି ରାତି ନିଦ ।
ପାର୍ଟି ଅଫିସିର ବାରଣ୍ଡା ଉପରେ
ଖରା ବର୍ଷା ମାଡ ଖାଇ
ବୋହିଛନ୍ତି କେତେ ବୋକଚା ସଭିଙ୍କ
ହିସାବ ତାହାର ନାହିଁ ।
ଗଲା ସେ ଦୁର୍ଦ୍ଦିନ, ଆସିଲା ସୁଦିନ
ବୁଲିଲା ଗ୍ରହ ନକ୍ଷତ୍ର
ସର୍ବେସର୍ବା ଏବେ ହୋଇଛନ୍ତି ସିଏ
ପାଇଛନ୍ତି ମନ୍ତ୍ରୀପଦ ।
ବାଆଁ ଡାହାଣରେ ବୁଲୁଛନ୍ତି ନେତା
ହାତ ଯୋଡି, ମୁଣ୍ଡ ଲୋଇଁ
ଅପାର ଆନନ୍ଦ ମିଳି ଯାଉଅଛି
ମଝିରେ ନିଜକୁ ପାଇ ।
ଜୟ ଜୟକାର ହୁଅଇ ସବୁଠି
ଗଲେ ସେ ସଭା ସମିତି
ଗରମା ଗରମ ଭାଷଣ ପାଇଁକି
ବଢୁଛି ତାଙ୍କର ଖ୍ୟାତି ।
ଦିନ କେଇଟାରେ ଶିଖିଗଲେଣି ସେ
ନେତାଙ୍କର ସବୁ ବାଗ
ଭୁଲ ଭଟକା ହୋଇଗଲେ କିଛି
ସଜାଡନ୍ତି ଚେଲା ଆଗ ।
ଶିଖାଏ କିଏ ସେ ପ୍ରତିଜ୍ଞା କରିବା
ନେତାଙ୍କର ବଡ କାମ
କିନ୍ତୁ ସେ ପ୍ରତିଜ୍ଞା କଥାକୁ ମାତର
କାର୍ଯ୍ୟେ ନଧରିବ ନାମ ।
ଯେତେ ବଡ ନେତା, ସେତେ ବିଳମ୍ବରେ
ପହଞ୍ଚିବ ସଭାସ୍ଥଳେ
ନେତାଙ୍କୁ ଅପେକ୍ଷା କରିଥିବେ ଲୋକେ
ଚାହିଁକି ବଡ ବ୍ୟାକୁଳେ ।
ଛୋଟ ମୋଟ ନେତା ଆଗ ପହଞ୍ଚିକି
ମାରୁଥିବେ ପଇଁତରା
ତୁମେ ଯଦି ଯିବ ସେତିକି ବେଳକୁ
ଦେବେ ନାହିଁ କେହି ଧରା ।
ଗାଡିରେ ନଚଢି, ଆକାଶ ମାର୍ଗରେ
ଉଡି ଉଡି ଯିବ ଯେବେ
ମୁଣ୍ଡ ଉଠେଇକି ଚାହିଁବ ଜନତା
ଜୁହାର ବି କରୁଥିବେ ।
ଏମିତି ଏମିତି କେତେ ଗୁରୁମନ୍ତ୍ର
ସଭିଏଁ ଶିଖେଇ ଦେଲେ
ସମସ୍ତିଙ୍କ କଥା ଗଣ୍ଠି କରି ମନେ
କାର୍ଯ୍ୟାଳୟେ ବିଜେ କଲେ ।
ଫାଇଲି ଉପରେ ଫାଇଲି ରହିଛି
ଘୂରିଯାଏ ମୁଣ୍ଡ ଦେଖି
ଏହା ଠାରୁ ଭଲ ଉନ୍ନତି ଘୋଷଣା
ଚାଲିଲେ ଗସ୍ତରେ ମନ୍ତ୍ରୀ ।
ପ୍ରତି ସପ୍ତାହରେ ଗାଆଁ ଗାଆଁ ବୁଲି
କରିଲେ ସଭା ସମିତି
ଲୋକଙ୍କର ସୁଖ ଦୁଃଖ ସେ ବୁଝିଲେ
ନାଲି ଗାଡିରେ ବସିକି ।
ଦୁଇ ଘଣ୍ଟା କ’ଣ, ଚାରି ଘଣ୍ଟା ହେଲା
ପହଞ୍ଚିବାର ସମୟ
ଚେଲା ତ କହିଛି ଶୀଘ୍ର ପହଞ୍ଚିବା
ନେତାଙ୍କର ନୁହେଁ କାମ ।
ଲୋକଙ୍କ କଲ୍ୟାଣ ହେଲା କି ନହେଲା
କିଏ କରିବ ନିର୍ଣ୍ଣୟ
ବଡ ନେତା ବୋଲି ବାନା ଉଡୁଥିଲା
ହେଉଥିଲା ଜୟ ଜୟ ।
କିଛି ଦିନ ପରେ ଗାଆଁରୁ ଖବର
ଆସିଗଲା ପୁଅ ପାଇଁ
ମାଆ ବାପା ଝିଅ ଠିକ୍ କରିଛନ୍ତି
ଯାଅ ଏଠୁ ବାହାହୋଇ ।
ଅମୁକ ତାରିଖେ ବାହାଘର ହେବ
ସମୁକଙ୍କ ଝିଅ ସାଥେ
ବରଯାତ୍ରୀ ଧରି ବାହାରିଲେ ମନ୍ତ୍ରୀ
ରାଜଧାନୀ ରାଜପଥେ ।
ମନେ ପଡିଗଲା ଚେଲାଙ୍କ ତାଗିଦା
ବିଳମ୍ୱରେ ପହଞ୍ଚିବ
ନହେଲେ କନିଆଁ ଗାଆଁରେ ଭାବିବେ
ମନ୍ତ୍ରୀ ନୁହେଁ, ଗୋଟେ ଗବ ।
ସବୁ ଥାଟ ବାଟ ଭୁବନେଶ୍ୱରରେ
କିଏ ବା ଜାଣିଛି ଏଠି
ଶୀଘ୍ର ପହଞ୍ଚିଲେ ଥାଟ ଚାଲିଯିବ
ନଦେବ କେ ଭାଉ ଏଠି !
ଖୋଜେ ଗଲା ପରେ କନ୍ୟା ଘର ଗାଆଁ
ଅପେକ୍ଷାରେ ଥିବେ ସବୁ
ମନ୍ତ୍ରୀଙ୍କ ନିର୍ଦ୍ଦେଶ ପାଇ ବରଯାତ୍ରୀ
ବାନ୍ଧିଲେ ସେଇଠି ତମ୍ୱୁ ।
ଘମ୍ଟା ପରେ ଘଣ୍ଟା ବିତି ଚାଲିଗଲା
ଥକିଗଲେ ବରଯାତ୍ରୀ
ଖିଆ ପିଆ ନାହିଁ, ଠିଆ ହେଇ ହେଇ
ମଞ୍ଜଟା ଗଲାଣି ତାତି ।
ବେଳ ବୁଡ ସରି ମନ୍ତ୍ରୀ ବାହାରିଲେ
କାଞ୍ଚି ଅଭିଯାନ ପାଇଁ
ମାତ୍ର ଇଏ କ’ଣ, ସ୍ୱାଗତ ପାଇଁକି
ପଦ୍ମାବତୀ ଆଉ ନାହିଁ !
ସବୁଆଡ ଅଛି ନିରବ ନିଥର
ଶୁଭୁନି ମଙ୍ଗଳ ବାଜା
ଗାଆଁଟା ସୁନ୍ଦର ଦିଶୁଛି ଅବଶ୍ୟ
ଫୁଲପତ୍ରେ ହୋଇ ସଜା ।
ଗାଆଁମୁଣ୍ଡ ପାନ ଦୋକାନୀକୁ ମନ୍ତ୍ରୀ
ପଚାରିଲେ ପାଟି କରି
“କେଉଁଠି ମରିଲେ କନ୍ୟାଘର ଲୋକେ
ଆମକୁ ଡକେଇ କରି ?
ଯାହାର ଅପେକ୍ଷା ରାଇଜଟା କରେ
ସେ ଆସି ଦୁଆରେ ଠିଆ
ମାତର କାହାରି ଦେଖା ନାହିଁ ଏଠି
କରିବାକୁ ପାଦ ଧୁଆ !”
ଆଉଁଷି ଆଉଁଷି କାନମୁଣ୍ଡ ନିଜ
କହେ ଦୋକାନୀ ଭରସି
“ଲଗନ ସମୟ ଗଡିଗଲା ବୋଲି
ବସିଲା କନିଆଁ ରୁଷି ।
ଜିଦିକଲା ସିଏ ବାହା ହେବନାହିଁ
ଶୁଭ ଲଗ୍ନ ଗଲେ ଗଡି
ଏମିତିଆ ବର ଲୋଡା ନାହିଁ ମୋର
ଚିହ୍ନିନାହିଁ ଯିଏ ଘଡି !
ରାଇଜର ଲୋକେ ଭୋଟ୍ ଦେଲେ ବୋଲି
ଚାହିଁ ବସିବାକୁ ବାଧ୍ୟ
ସେପରି ବାଧ୍ୟତା ଲାଗୁ କି ହୋଇବ
ବିବାହ ବେଦୀରେ ମଧ୍ୟ ?
ମନ୍ତ୍ରୀ ହୁଅନ୍ତୁ କି ତନ୍ତ୍ରୀ ସେ ହୁଅନ୍ତୁ
ହେବେ ଯଦି ଏଠି ଜୋଇଁ
ଏଠା ନିୟମକୁ ଅପମାନ କଲେ
ଝିଅ ତ ମିଳିବ ନାହିଁ !”
ଯେତେ ବୁଝାଇଲେ ବୁଝିଲାନି ଜମା
କଥା ରହିଲା ଅଟଳ
ବିଳମ୍ୱରେ ଯିଏ ଆସିବ ଏଠିକୁ
ହେବ ସିଏ ଶିଶୁପାଳ ।
ବାହା ହେବା ପାଇଁ ଏଇ ସର୍ତ୍ତ ରଖି
ହେଲା ସିଏ ଆଜି ରାଜି
ଘରଲୋକେ ନେଇ ଆସିଲେ ତା’ ପାଇଁ
ଆଉ ଏକ ବର ଖୋଜି ।
କନ୍ୟା ବିଦା ହୋଇ ଯାଇ ସାରିଲାଣି
ତେଣୁ ଦିଶେ ସବୁ ଫାଙ୍କା
କହିବ ଯଦି ମୁଁ ଡକେଇ ଆଣିବି
କନ୍ୟାର ବାପା କି କକା ।“
ଚାଳିଶି ଇଞ୍ଚିଆ ଛାତି ଫୁସୁକିଲା
ଖୋଜିଲେ ସେ ମନେ ମନେ
କୋଉ ଚାମଚା ସେ ବୁଦ୍ଧି ଦେଇଥିଲା
ଚଖେଇବେ ତାକୁ ପାନେ ।