ନିଶିଗନ୍ଧା
ନିଶିଗନ୍ଧା
ନିକ୍ଷ୍ପନ୍ଦ ହୃଦୟେ ସଞ୍ଚରି ଶତ
କାମନା ତରଙ୍ଗ ରାଜି
ନିଭୃତ ନିଶୀଥେ ଅଳକା ପୁରୀରେ
ତୁମକୁ ହୁଏ ମୁଁ ଖୋଜି,
ଯେବେ ଆସ ତୁମେ ପ୍ରଣୟ ଅଳିନ୍ଦେ
ନିଶୀଥିନୀ ବେଶ ସାଜି
ନିଷିଦ୍ଧ ଯୌବନ କଡ ଲେଉଟାଏ
ସ୍ୱପ୍ନ ଯାଏ ମୋ ହଜି ,
ପିପାସାରେ ବିତେ ନିଶି ନିଃଶବ୍ଦ
ହୃଦୟର ହାହା କାର
ତୃଷ୍ଣା ଆତୁରେ ଅଧର ରୁଧିରେ
ତୃଷ୍ଣା ମେଣ୍ଟାଏ ମୋର,
ଉପାସନା ହୁଏ ଆନମନା ଆଜି
ଭକ୍ତି ବିହୀନ ଭାବ
ଜାଣେନା ନିର୍ବାଣ ଅବା ନରକର
କିବା ଗତି ମୋର ହେବ,
ବୟସ ସଳିତା ଜଳି ଜଳି ଯାଏ
ସମୟର ସଞ୍ଜବେଳେ
କିଏ ଜାଣେ କେବେ ଲିଭିଯିବ ଝଡ଼େ
ମୃତ୍ୟୁ ର ଆଢୁଆଳେ,
ଥରେ ମାତ୍ର କୁହ କେହି ନୁହଁ ବୋଲି
(ତୁମ) ଅଭିସାର ରାଣ ଖାଇ
ଫେରିଯିବି ସେଇ ନିଃସଙ୍ଗ ସହରେ
ଅଜନ୍ମ ସନ୍ୟାସୀ ହୋଇ,
ନିଶିଗନ୍ଧା ତୁମ ନିଭୃତ ନିଶୀଥେ
ପ୍ରଣୟର ଅଭିସାର
ପ୍ରଣୟ ଲିପିରେ ଲିପିବଦ୍ଧ ମୋର
ହେଲେ ….ସ୍ବପ୍ନ ଯାହା ସାର ….. ।।
ତପନ ଦୀକ୍ଷିତ(ବେଳାଭୂମି)
ନାଶିକେଶ୍ୱର, କାକଟପୁର, ପୁରୀ