ବଦନାମ୍
ବଦନାମ୍
ଶୁଣୁଥିଲି , ତମେ ଘରୁ ବାହାରୁନ !
ତଥାପି କେବେ ଯଦି
ପାଣି ପରି ସମୟ ମିଳେ
ବାହାରି ଦେଖିବ
ଜମାରୁ କମିନାହିଁ ସେ ଅସ୍ତଗାମୀ ସୁରୁଜର ଦୁଷ୍ଟାମୀ ।
ଏବେ ବି ସେ ପାହାଡ଼ ଉହାଡ଼କୁ
ହାଇ ମାରି ଢଳୁଢଳୁ
ରାଗରେ କି ଦହନରେ କେଜାଣି ?
ଘଡ଼ିଏ ଥ' ହୋଇଯାଏ
ଆହୁରି ଗରଗର ହୋଇ ଉଠେ
ଯେତେବେଳେ କେଉଁ ଗୋଟେ
ଚରିତ୍ରହୀନ ବୁଦା ଭିତରୁ
ଆବିଷ୍କାର କରି ନିଏ
ପ୍ରେମ ନାମେ ଲାଜ ଆଉ ଭୟକୁ ଉତାରି ଦେଇ
ପ୍ରେମିକ ଅକ୍ତିଆରରେ ନିଜ ଦେହ ଓ ଦହନକୁ ଜାଳୁଥିବା
ତମ ପରି କେଉଁ ଗୋଟେ ନିରୀହ ପ୍ରେମିକାର
ଗୋରା ତକ୍ ତକ୍ ଯୌବନକୁ ।
ସେ ସୁରୁଜ ରାଗୁଥିଲା କି ନାଇଁ ?
ଏଯାଏଁ ପାରିଲିନି ଜାଣି ;
କିନ୍ତୁ ସେ ଶଳାବୁଢ଼ା କଥା ପଚାରନି
ଏବେବି ସେ , ସେଇମିତି ହିଁ ଚିର୍ଲାଉଛି
ଝାପସା ଝାପସା ଦେଖିଦେଲେ କାହାକୁ ।
ଆଉ ଗୋଟେ କଥା ଜାଣିଛ ?
ତାକୁ ଏବେ ଏବେ ଚାଲିଶିଆ ଧରିଛି
ଯାହାକୁ ଦେଖିଲେ ବି
ତମ ଆଉ ମୋ ନାଁରେ ସୋଧୁଛି ।
ତମେ ତ ଜାଣିଛ !
ତମ ନାଁ ସହ ମୋ ନାଁ
କେମିତି ଦୁର୍ବଳ କରିପକାଏ ମୋତେ ;
ତାକୁ ଶୁଣିବା ପାଇଁ କି କାହିଁକି କେଜାଣି ?
ମୁଁ ଫି'ଦିନ ଯାଉଛି ସେଆଡ଼େ
ଆଉ ପ୍ରତି ମୁହଁରେ ଅଣ୍ଡାଳି ହେଉଛି ତମ ମୁହଁଟିକୁ
ଆଉ ପ୍ରତିଟି ଆଖିରେ ତମ ହଳକ ଆଖିକୁ ।
ପାଣି ପରି ସମୟ ମିଳିଲେ ଆସିବ..
ନିଶ୍ଚେ ଆସିବ...!
ମିଛ ବଦନାମ ଆଉ ଜମାରୁ ସହାଯାଉନି
ଭାବୁଛି ; ଆଉଥରେ ବଦନାମ ହେବା ...।