ଅଳିକ
ଅଳିକ
ଯେଉଁ ସିଂହାସନେ ବସି ବସି ତୁମେ
ଦୃପ୍ତ ଠାଣିରେ ତୃପ୍ତ ମଦିରା ପିଅ,
ସେ ମଦିରା କେତେ ନୟନର କୋଣୁ
ଝରାଏ ତପ୍ତ ଲୁହ ।
ସତେ କିଛି କ୍ଷଣ ରମ୍ଭା- ମେନକା
ରତିର ନଗ୍ନ ନୃତ୍ୟ,
ତରଳାଏ ତୁମ ଆଗ୍ନେୟ ଲାଭା
ତନ୍ତ୍ରୀ କରି ଉଚ୍ଚକିତ ।
ଇନ୍ଦ୍ରଧନୁର ବର୍ଣ୍ଣିଳ ବିଭା
ଦେଖାଇ ଛଟକ ଛଇ,
ଛୁଇଁ ଯାଏ ତୁମ ମନ ଉପକୂଳ
ସାଗର ଜୁଆର ହୋଇ ।
କିଛିକ୍ଷଣ ପାଇଁ ଚମକି ବିଜୁଳି
ଅଟକି ଏ ପଥେ ଚାହେଁ,
ବେପରୁଆ ତୁମ ଖିଆଲି ମନ ଟା
ମହ୍ଲାରରେ ମଜ୍ଜି ଥାଏ ।
ତମସାର ସାଥେ ରଚୁଥାଅ ତୁମେ
ରାତ୍ରୀର ଅଭିସାର, ଅବଶେଷେ ହେବ ମୁଠାଏ ପାଉଁଶ
ବହିବ ଅଶ୍ରୁ ଧାର ।
କିଛି କ୍ଷଣ ପାଇଁ ଜଣା ପଡେ ଯାହା
ଏହାଠୁଁ ଅମୂଲ୍ୟ ନାହିଁ,
ସ୍ବର୍ଗର ସୁଖ କେଡେ ତୁଚ୍ଛ ସତେ
ପରବାୟ କିଛି ନାହିଁ ।
କିଛି କ୍ଷଣ ପାଇଁ ମିଳିଗଲା; ଭାବ
ନନ୍ଦନ ବନ ସୁଖ ,
ସୁଖ ନୁହେଁ ସେ ' ତ କଳ୍ପନା ବିଳାସ
ଖାଲି ଅପ୍ରମିତ ଦୁଃଖ ।
ସେଇ ସିଂହାସନୁ ଖସିବ ତୁମର
ଲୋଳିତ ଗଳିତ ଦେହ ,
ହଦୟୁ ଝରିବ ରକତ ନୁହେଁ ତ
ପିଇ ଥିବା ଯେତେ ଲୁହ ।
ଭକ୍ତ ଚରଣ ମଲ୍ଲ
23rd August 2017.