ମଉସୁମୀ
ମଉସୁମୀ
ପ୍ରଖର ଆତପ ଯିବ କେବେ ଅପସରି
ଶୀତଳ ଅନିଳ ଲାଗି ଶୁଷ୍କ ମନେ ଆଶା
ଦେହ ସାରା ଆଉଟାଇ ଦିନ ଯାଏ ସରି
ଭିଜା ମାଟି ବାସ୍ନା ପାଇଁ ବ୍ୟଗ୍ର ଦୁଇ ନାସା ।
ହଜିଲାର ସନ୍ଧାନରେ ପାସୋରଇ କ୍ଳାନ୍ତି
ମଉସୁମୀ ଥିରେ ବହି ଆସିବ କି କାଲି
ଯେବେ ଅନୁରାଗ ଅନୁଭବେ ଭରା ଛାତି
ନିରେଖି ନିରେଖି ବାଟ ରହିଯାଏ ଖାଲି ।
ଆଶାର ସପନ ଦେଇ ଭାସିଯାଏ ମେଘ
ତଡିତ ଛଟକ ତୋଳି ଆସେ ଯାଏ ସିନା
କାତର ପ୍ରାଣୀଙ୍କ ଲାଗି ବଢେ ଉଦ୍ ବେଗ
ତ୍ରାହି ତ୍ରାହି ଡାକିଲେଣି ଏବେ କୃପା ବିନା ।
ତତାଇ ନେଇଛି ଯେବେ ଦେହୁ ସ୍ଵେଦବାରି
ନଜାଣେ କିଏ ସେ ଆଉ ତାହା ପରାଭବ
ନିରପେକ୍ଷେ ଫେରାଇବ ଲାଗି ମାସ ଚାରି
ଋତୁ କ୍ରମେ ରସାତଳେ ଯୋଗାଇ ବିଭବ ।
ପଶୁପକ୍ଷୀ ଚାଷୀ କୁଳ ହେଲେଣି ଅଥୟ
ଢାଳିବାରେ କୃପା ଦୃଷ୍ଟି କି କାରଣେ ହେଳା
ମଉସୁମୀ ପ୍ରବାହରେ ଦୂର ଯେବେ ଭୟ
ସଂସାର ହିତରେ ସିନା ଏହି ଲୀଳାଖେଳା ।
ପ୍ରସନ୍ନ କୁମାର ମାଦଳା