ବର୍ଷା ଆସିଲା ପରେ
ବର୍ଷା ଆସିଲା ପରେ
ବର୍ଷା ଆସିଲା ପରେ
ବିଲମାଳେ ଭାସେ ବହଳ ମେଘର
ଧୂସର ଧୂସର ଛାଇ
ଅଦ୍ଭୁତ ମାୟାରେ ଆଜି ଏ ଧରଣୀ
ଶିହରେ ଲାଜେଇ ଥାଇ ।
ନୂଆ ବରଷାର ମଉସୁମୀ ଆସି
ପ୍ରାନ୍ତରେ ପ୍ରାନ୍ତରେ ଭାସେ
ଧାନର କେଦାରେ ମଧୁର ପବନ
ମହୁଆ ମହୁଆ ବାସେ ।
ବନଫୁଲ ଗନ୍ଧେ ମହକେ ମେଦିନୀ
ଲଗାଇ କାଉଁରୀ ମାୟା
ଆକାଶ କି ସତେ ଖୋଜୁଛି ତା' କୋଳେ
ଗହନ ଶୀତଳ ଛାୟା ।
ଆତୁର ପରାଣେ ଥିଲା କେଉଁ କାଳୁ
ବିଚ୍ଛେଦର ଅଭିମାନ
ଅଧରେ ଅଧର ଛୁଉଁ ଛୁଉଁ କେତେ
ଉଠିଛି ପ୍ରଣୟ ତାନ ।
ବିହଗିନୀ ମେଳେ ଭାବୁକ ବିହଙ୍ଗ
ତୋଳିଛି ଲଳିତ ଛନ୍ଦ
ନଈ ପଠା ଆଉ ତାଳବନେ ପୂରେ
ମାଳତୀ ମଞ୍ଜରୀ ଗନ୍ଧ ।
ବାରିଦ ଅଧରୁ ସଲିଳ ଶୀକର
ତଳକୁ ପଡଇ ଝରି
କପୋତ ବିଳାପ ଘନ ବେଣୁବନେ
ସଞ୍ଚରଇ ଆଶା ଭରି ।
ନୀଳ ଗଗନରୁ ଚପଳା ଚମକ
ଶଇଳ ଶିଖରେ ଖସେ
ବିରହିଣୀ ବଧୂ ପରାଣ ବିଦାରି
ଛାତିରେ ଛନକା ପଶେ ।
ତା' ମନବୀଣାରୁ ଶୃଙ୍ଗାରର ଆଶେ
ମହ୍ଲାର ଝଙ୍କାର ବାଜି
ଅଙ୍ଗେ ଅଙ୍ଗେ ଖେଳେ ଅପୂର୍ବ ପୁଲକ
କ୍ଷଣେ ଉନ୍ମାଦିନୀ ସାଜି ।
ଉଦାସ ପ୍ରାଣରୁ ଚାଷୀ ଭାଇ ଭୁଲି
ନିଦାଘ ଜ୍ବାଳାର ବ୍ୟଥା
ଗୁଣୁଗୁଣୁ ହୋଇ ଗୀତେ ଗାଇଯାଏ
ସୁନେଲି ସପନ କଥା ।
ଜୀବନର ନଦୀ ଖରସ୍ରୋତା ହୋଇ
ବହିଯାଏ ପାରାବାରେ
କେ ରୋଧିବ ତାକୁ ନିଖିଳ ପ୍ରାଣ ତ
ସନ୍ନିହିତ ତାହା ଧାରେ ।
ପ୍ରସନ୍ନ କୁମାର ମାଦଳା