ଅକରଣୀୟ ଅପରାଧ
ଅକରଣୀୟ ଅପରାଧ
ସକାଳୁ ସକାଳୁ
ଘରେ ମୋର ରୋଳା ପଡ଼ିଛି
ଆଜି କୁଆଡେ ମୁଁ
ବଡ଼ ହେଇ ଯାଇଛି।।
ମୋ ଆଗରେ ଥିବା
ଗଙ୍ଗା ପାଣି ଆଉ ଗୋବର ପାଣିକୁ ଚାହିଁ
ଘର କୋଣରେ
ଏକୁଟିଆ ମୁଁ ବସିଛି
ଆଜି କୁଆଡେ ମୁଁ
ବଡ଼ ହେଇ ଯାଇଛି।।
ମୋ ଯୋନୀରୁ କ୍ଷରିତ
ବିନ୍ଦୁ ବିନ୍ଦୁ ରକ୍ତ
କୁଆଡେ ଅପବିତ୍ର ଅଶୁଦ୍ଧ
ତେଣୁ ଆଜିଠୁ ମୁଁ ପାପୀ
ମୁଁ ଅଶୁଦ୍ଧ ଅପବିତ୍ର।।
ଆଜିଠୁ ମୋତେ ହସିବା ମନା
କାଶିବା ମନା
ଚାହିଁବା ମନା
ଚାଲିବା ମନା
ଝିଣ୍ଟିବା ମନା
ଉଠିବା ମନା
କେବଳ ମନା ମନା ମନା।।
ମୋ ହସ କୁଆଡେ
ଆଟମ ବମଠୁ ବି
ବେଶୀ ଭୟଙ୍କର
ମୋ ଚାଲି କୁଆଡେ
ଭାଙ୍ଗିଦେଵ ତପ
କେତେ କେତେ ମୁନି ଋଷିଙ୍କର।।
ମୋ ବକ୍ଷର ଉଚ୍ଚତା
ମୋ ଅନ୍ତର୍ବସ୍ତ୍ରର ଝଲକ
କୁଆଡେ ହଜେଇଦେଵ
କେତେ କେତେ ସଂଯତ
ପୁରୁଷର ନିଦ।।
ତେଣୁ ଆଜିଠୁ ମୁଁ
ନିଜକୁ ଢାଙ୍କିଦେବି
ବସ୍ତ୍ରର ଆବରଣରେ
ସେ ବୁର୍ଖା ହେଉ ବା ପର୍ଦା
ଅପସରି ନେବି ନିଜକୁ ଲୋକ ଭିଡରୁ
ବନ୍ଧି କରିବି ଚାରି କାନ୍ଥର ଦୁନିଆରେ।।
ଗଲେ ପଛେ ଯାଉ ମୋ ସ୍ୱାଧୀନତା
ମୋର ବ୍ୟକ୍ତି ପରିଚୟ
ବଂଚି ଯିବ ତ ପ୍ରଥା ପରମ୍ପରା ସଂସ୍କୃତି
ପାଦ ଖସି ଯିବାରୁ ବଂଚିଯିବେ
କେତେ କେତେ ଜିତେନ୍ଦ୍ରିୟ।।
ସେହି ଚରିତ୍ରବାନ ପୁରୁଷମାନଙ୍କୁ
ସ୍ଖଳନରୁ ବଞ୍ଚେଇବାର
ପ୍ରଥମ ଦାୟିତ୍ୱ ଯେ ମୋ ଉପରେ ନ୍ୟସ୍ତ।।
ଏଠି ଫୁଲଟିଏ ଦଣ୍ଡ ପାଏ
କାଢିରୁ ଫୁଟି ଉଠିବାର ଦୋଷରେ
ତାକୁ ବୃନ୍ତଚ୍ୟୁତ କରି ପଦ ଦଳିତ କରୁଥିବା
ନିଷ୍ଠୁର ଭ୍ରମରମାନେ ଆଜନ୍ମ ନିରୀହ।।
ମୁଁ ଯେ ନାରୀ
ଅନ୍ତ ଫାଡ଼ି ଜନ୍ମ କରିଥିବା
ସ୍ତନ ନିଗାଡି କ୍ଷୀର
ତୁଣ୍ଡରେ ଭରି ଦେଇଥିବା
ସେହି ପୁରୁଷ ପାଇଁ ମୁଁ ନର୍କର ଦ୍ୱାର
ସମାଜର ସମସ୍ତ ସ୍ଖଳନ ପାଇଁ
ଏକ ସହଜ ଆଙ୍ଗୁଠି ନିର୍ଦେଶର ଲକ୍ଷ୍ୟ ମୁଁ।।
ତେଣୁ ମୁଁ ଲୁଚିଯିବି
କବାଟ କୋଣରେ
ଘରର ଚାରିକାନ୍ଥ ରେ
ପର୍ଦା ଆଉ ବୁର୍ଖାର ଆଢୁଆଳରେ।।
ରାଜବାଳା..