ମୋହର ସ୍ଵର୍ଗପୁରୀ
ମୋହର ସ୍ଵର୍ଗପୁରୀ
ମୋହର ସ୍ଵର୍ଗପୁରୀ
ଦେଖିଛ କେହି କି ଆମ ଗାଁ’ ଟିକୁ
ଛୋଟ ନଦୀଟିର ତୀରେ,
ଚାରିପଟେ ଗଛ, ଘନ ଘୋର ଘଞ୍ଚ
ଶାଗୁଆ ବୁଦାର ବାଡ଼େ ?
ସେ ମୋର ଜନନୀ, ଜନ୍ମଭୂମି ଓ ମୋହର ସ୍ଵର୍ଗପୁରୀ,
ସେଇଠି ମୋହର ମନପ୍ରାଣ ସବୁ ରହିଥାଏ ସଦା ପଡ଼ି ।
ଦୁଇ ଆଡ଼େ ଦୁଇ ଧୂମ୍ର ପାହାଡ଼
ଗାଁ’ ଟି ତାହାରି କୋଳେ,
ଛୋଟ ବଡ଼ ସବୁ ଘରଗୁଡ଼ି ଯେତେ
ଶିଖରର ଛାୟାତଳେ,
ମଧ୍ୟସ୍ଥଳେ ଗୋଟିଏ ପୋଖରୀ
ପଦ୍ମ ଫୁଲରେ ଭରା,
ବତକମାନେ ତାରି ଉପରେ
ଖେଳନ୍ତି ଦିନ ସାରା ।
ସେ ମୋର ଜନନୀ ଜନ୍ମଭୂମି ଓ ଏକ ମନୋହର ପୁରୀ
ସେଇ ମନୋରମ ଦୃଶ୍ୟସବୁ ମୁଁ, ଦେଖଇ ନୟନ ଭରି ।
ରାତି ଥାଉ ଥାଉ କୁକୁଟର ଡାକ
ନିଦ୍ରାଟି ଦିଏ ଭାଙ୍ଗି,
ପକ୍ଷୀକୁଳର କିଚିରି ମିଚିରି
କିଏ ନ ଯାଆନ୍ତି ଜାଗି ?
ଦ୍ଵିପ୍ରହର ବେଳେ ପଖାଳ ଖାଇକି
ଗଛର ମୂଳରେ ନିଦ,
ବସନ୍ତର ଶୁଭାଗମନରେ କୋଇଲି ଶୁଣାଏ ଗୀତ ।
ସେ ମୋର ଜନନୀ ଜନ୍ମଭୂମି ଓ ମୋର ଆନନ୍ଦପୁରୀ
ସେଇ ଗାଁ’ ଟି ମୋର ହୃଦୟଟିକୁ ସଦା କରଇ ଚୋରି ।
ଗାଈ ବାଛୁରୀ ଉଡ଼େଇ ଧୂଳି
ଫେରନ୍ତି ସେଇ ବେଳ,
ପିଲାମାନେ ସବୁ ମିଶି ଖେଳନ୍ତି
ହରେକ ରକମ ଖେଳ ।
ଅସ୍ତାଚଳରେ ବିଭାବସୁ ଯେବେ
ଭାସନ୍ତି ପଶ୍ଚିମ ଅମ୍ବରେ,
ଉଦ୍ଭାସିତ ଆଲୋକଛଟା ମାୟାବୀ ରୂପଟି ଧରେ ।
ସେ ମୋର ଜନନୀ ଜନ୍ମଭୂମି ଓ ମୋହର ସ୍ଵପ୍ନପୁରୀ,
ସେଇ ଗୋଧୂଳି ଲଗନ ଦେଖି ମୋ ମନ ଯାଏ ଭରି ।
ସନ୍ଧ୍ୟାକାଳେ ଶଙ୍ଖଧ୍ଵନି
ପ୍ରଦୀପ ଉଠଇ ଜଳି,
ହୁକ୍କା ହୁଆ ବିଲୁଆ ଡାକେ
କୁନି ପିଲା ଯାଏ ଡରି ।
ନୀରବ ନିଶିର ଜୁଳୁଜୁଳା ଦୀପ
ଲଣ୍ଠଣ ମିଞ୍ଜି ମିଞ୍ଜି,
ଜୋଛନା ରାତିର ଚନ୍ଦ୍ରର ହସ
କେଉଁଠି କେ ପାଏ ଖୋଜି ।
ସେ ମୋର ଜନନୀ ଜନ୍ମଭୂମି ଓ ମୋହର ଇନ୍ଦ୍ରପୁରୀ
ସେଠି ଅନ୍ତହୀନ ଶାନ୍ତି ସୁଖେ ଦିନ ବିତେ ଆମରି ।
ମିଠା ଜଳ ମୁକ୍ତବାୟୁ
ଉର୍ବର ତାର ମାଟି,
ଅତି ସରଳ ଗାଁ’ ଲୋକ ମୋର
ସୁନାରୁ ଅଧିକ ଖାଣ୍ଟି ।
ଭାଇ ଭାଇର ଏତେ ସ୍ନେହ
ମାୟା ମମତାର ବନ୍ଧନ,
କେଉଁଠି ଅଛି କିଏ କରଇ
କାହାରି ପାଇଁ କ୍ରନ୍ଦନ ।
ସେ ମୋର ଜନନୀ ଜନ୍ମଭୂମି ଓ ମୋହର ମମତାପୁରୀ
ମଣିଷ ନ ହେଉ ପକ୍ଷୀ ହୋଇ ଆସିବି ମୁଁ ପୁଣି ଫେରି ।