ନୁହେଁ କି ସତରେ ଭାରୀ
ନୁହେଁ କି ସତରେ ଭାରୀ
ଘର ପରିବାର ମଙ୍ଗ ଧରିବାର
ପାରିବାପଣିଆ ଦେଖି
ମାଆର ମମତା ସହିବା କ୍ଷମତା
ପାରିଛି କି କେହି ଲେଖି ?
ନିଦ ଭୋକ ଶୋଷ ପାଇଁ ଅବଶୋଷ
କେବେ ତ ନଥାଏ ତିଳେ
ଯାବତୀୟ ଦୁଃଖେ ସନ୍ତାନଙ୍କ ସୁଖେ
ତାକୁ ଉପଶମ ମିଳେ ।
ଥିଲେ ତା' ଆଶ୍ରିତ ଖରାବର୍ଷା ଶୀତ
ବାଧା କି ଦେଇଛି ଦିନେ
ଇଚ୍ଛା କଲେ ଯାହା ଖଞ୍ଜିବାକୁ ତାହା
ପିଲାଙ୍କର ମନ ଚିହ୍ନେ ।
ଝଡଝଞ୍ଜା ତ୍ରାସେ କେଉଁ ମାଆ ପାଶେ
ଥିଲେ ଥାଉ ଅବଗୁଣ
ଯେତେ ଯାହା କଲେ ସନ୍ତାନ କି ଭଲେ
ଶୁଝେ କେବେ ମାତୃଋଣ ?
ନଖାଇ ବି ନିଜ ପସନ୍ଦର ଚିଜ
ରଖଇ ସାଇତି ନିତି
ଆଦରେ ଖୁଆଇ ଦିଏ ସେ ଶୁଆଇ
ଗାଇ ନାନାବାୟା ଗୀତି ।
ପାଇ ତାର ବୋକ ଭୋକ ଅବା ଶୋକ
ହଜେ ତା' ପଣତ ତଳେ
ସନ୍ତାନର କ୍ଳେଶ ଥିଲେ ଥାଉ ଲେଶ
ଆଖିରୁ ଲୋତକ ଗଳେ ।
ମାଆଟିଏ ଯହିଁ ଏତେ ତ୍ୟାଗ ସହି
ଜୀବନେ ଯାଏନି ହାରି
ଯେତେ ହୁଏ ପେଷି ଧରଣୀଠୁ ବେଶି
ନୁହେଁ କି ସତରେ ଭାରୀ ?