ଭଗ୍ନ ମନୋରଥ
ଭଗ୍ନ ମନୋରଥ
ରୋମାଣ୍ଟିକ କବି ମାୟାଧର ମାନସିଂହ
ଏଇ ମାତ୍ର ଏ ପ୍ରଭାତେ ପାଇଛ ଯୌବନ
ହେ ବରବର୍ଣ୍ଣିନୀ,
ହୋଇନି ନୟନ-ଯୁଗ ପୀରତି-ବିଲୋଳ
ଆୟତ-ଈକ୍ଷଣୀ ।।
ଶାସିବାର ଶିଖି ନାହିଁ ଯୁବକର ହିୟା
ଗୋଟିଏ କଟାକ୍ଷେ,
ଚାଲିବାର ନୟନାନ୍ତ ଚକିତ ସରମେ
ପ୍ରଣୟୀ ସମକ୍ଷେ ।।
ରଞ୍ଜି ନାହିଁ ଶୁଭ୍ର ପଦ ଅଳତାର ରାଗେ
ହେ ନବଯୌବନା,
ବକ୍ଷେ ନାହିଁ ପୁଷ୍ପମାଳା, କରି ନାହିଁ ଚାରୁ
କବରୀ ରଚନା ।।
ଅଙ୍ଗେ ଅଙ୍ଗେ ଆସି ନାହିଁ ଗୁରୁ ସେ ବିଳାପ
ଅଳସ ବେଦନା,
କୁମ୍ଭ କାଖେ,ନତମୁଖେ,ଧୀରେ ପଦେ କେହ୍ନେ
ଚାହିଁବା ଜାଣନା ।।
ଜାଣିନା ପୁଣି ଗୋ ବାଳା ଚାଲିବା ଚରଣ
ଅଭିସାର ପଥେ,
କବି ତେଣୁ ଫେରିଚି ଗୋ କୁଞ୍ଜବନୁ ତବ
ଭଗ୍ନ ମନୋରଥେ ।।