ସ୍ଵପ୍ନଭଙ୍ଗ
ସ୍ଵପ୍ନଭଙ୍ଗ
ନିଦ୍ରିତ କୋଠରୀର ନିଃଶବ୍ଦ ଘେରରେ
ଜ୍ଞାନଦୀପ୍ତ ଜାଗ୍ରତ ସନ୍ନ୍ୟାସୀ ପରି
ବାଷ୍ପାକୁଳ ହୃଦୟର ଧୂଆଁଳିଆ ଅଗଣାରେ
ଏକା ଏକା ବସି ,
ସୁନେଲି ସ୍ମୃତିର ନୀଳାଭ ଉର୍ମିରେ
ଭାସୁ ଭାସୁ ,
ଦେଖା ହେଲା ତମ ସହ
କେଉଁ ଏକ ମୁହଁ ସଂଜ ବେଳେ
ଖସି ପଡୁଥିଲା ତାରା ଫୁଲ
ଆକାଶ ଛାତିରୁ ,
ଉଡିଯାଉଥିଲା ରଙ୍ଗ ଝାଡି
ପ୍ରଜାପତି ଫୁଲ ବଗିଚାରୁ ,
ଝରିପଡୁଥିଲା ମେଘରୁ ମହ୍ଲାର
ଜହ୍ନରୁ ଜୋଛନା ,
ସ୍ବପ୍ନସିକ୍ତ ହେଉଥିଲା
ମୋ ହୃଦୟର ପ୍ରତିଟି ସ୍ପନ୍ଦନ
ତମ ପ୍ରେମ ଶୀତଳ ଚନ୍ଦନର
କୋମଳ ସ୍ପର୍ଶରେ ।।
ବିମୁଗ୍ଧ ଭାବନାର ଅନ୍ତରାଳେ
ପ୍ରେମସିକ୍ତ ଚିନ୍ତା ଓ ଚେତନାର
ଶାଖା ଓ ପ୍ରଶାଖା
ଲମ୍ବି ଲମ୍ବି ଯାଉଥିଲା
ଅପହଂଚ ଅନ୍ଧାରର ଅର୍ଗଳି ଭିତରେ ,
କିଛି ସତ କିଛି ମିଛ
କିଛି ଆବେଗ କିଛି ଉଦ୍ଦୀପନା
ଛକାପଞ୍ଝା ହୋଇ ଚକ୍କର ମାରୁମାରୁ
ମୁକୁଳି ଗଲା ଅଗଣିତ ମଧୁର -
ପ୍ରୀତିସିକ୍ତ ସ୍ମୃତିର ଗୋଲାପୀ ପାଖୁଡା
ସାଇତି ରଖିଥିବା ତମ ପ୍ରତିଛବି
ମୋ ଆଲବମର ନିର୍ଜୀବ ପୃଷ୍ଠାରେ ।।
ଦରଫୁଟା ସ୍ମୃତି କଢି ମୋର
ଫୁଲ ହୋଇ ଫୁଟି ଝଡିବା ପୂର୍ବରୁ
ସ୍ଵପ୍ନ ମୋର ଭାଙ୍ଗିଗଲା
ମନେହେଲା---'------------------,
ମୁଁ ଯେପରି ଏକ ଅଶାନ୍ତ ଧୂଳିଝଡଟିଏ
ସୁଦୀର୍ଘ ସାହାରାର ତତଲା ବାଲିରେ ।
ତା ପରେ----'----------'-----------,
ପଛକୁ ଚାହିଁଲି ମୁଁ
ଅଶ୍ରୁସିକ୍ତ ନୟନରେ
ତମେ ନାହଁ ,
ତାରା ନାହିଁ ,ଦୀପ୍ତି ନାହିଁ
ଜହ୍ନ ନାହିଁ ,ଜ୍ୟୋସ୍ନାନାହିଁ
ନଦୀ ନାହିଁ ,ଢେଉ ନାହିଁ
ଖାଲି ଧୂସର ଶୂନ୍ୟତା
ମରୁ ମରୀଚିକା ,
ଯନ୍ତ୍ରଣାକ୍ତ ନିଷ୍ଠୁର ବାସ୍ତବତା
ଆକାଶରୁ ବଳି ଆହୁରି ନୀରବତା
ମରୁଭୂମିଠୁ ବଳି ଆହୁରି ନିର୍ଜନତା ।।
---------------------------'------'----
ଅଧ୍ୟାପକ ଶରତ କୁମାର ଦାସ
ବଡବିଲ ମହାବିଦ୍ୟାଳୟ ,ବଡବିଲ ।