ଊର୍ଦ୍ଧ୍ୱରେତା
ଊର୍ଦ୍ଧ୍ୱରେତା
ବେଳ ଥାଉ ବନ୍ଧ ବାନ୍ଧରେ କୁମର
ବେଳ ଥାଉ ବନ୍ଧ ବାନ୍ଧ
କାଳର ଭୂଖଣ୍ଡ ଏଡେ ଅନୁର୍ବର
ଅନ୍ତଃସାର ହୀନ ଚାନ୍ଦ ।
ଆଜିର ମାନବ ଆବେଗ ରହିତ
ଇନ୍ଧନଚାଳିତ ଯନ୍ତ୍ର
ବୈଷୟିକ ପ୍ରୀତି ବାସନା ସହିତ
ନିସ୍ପନ୍ଦିତ ମତି ତନ୍ତ୍ର ।
ନୈରାଶ୍ୟ ପାଂଶୁଳ ଧୂମିତ ଯାହାର
ଚୈତନ୍ୟ ହେଉଛି ଅନ୍ତ
ସେଥିପାଇଁ ଆହା ଭିତର ବାହାର
ଲାଗୁନାହିଁ ପ୍ରାଣବନ୍ତ ।
ସୁମନ ମଣ୍ଡିତ ବନସ୍ପତି ବିଭା
ଥାଉ ବି ବସିଛୁ ମୌନ
ବିହଗ କାକଳି କଲ୍ଲୋଳିନୀ କିବା
ନିରର୍ଥକ ଆଉ ଗୌଣ ?
ପ୍ରାଣାନ୍ତକ ସ୍ପର୍ଦ୍ଧା ଅର୍ଥ ଉପାର୍ଜନେ
ଅଶ୍ଳିଳ ଆଉ ମଳିନ
ନିବୃତ୍ତି ବିହୁନେ ପ୍ରଭୁ ପୂଜାର୍ଚ୍ଚନେ
ଚିତ୍ତ କି ହେବ ତଲ୍ଲୀନ ।
ସଂକଳ୍ପ ସାଧନା ଆପ୍ଳୁତ ପଥରେ
ଥାଇ ହୁଅ ଊର୍ଦ୍ଧ୍ଵରେତା
ଶୋଭାବନ୍ତ ଏହି ସ୍ୱଦେହ ରଥରେ
ବିରାଜ ହେ ଶୁଦ୍ଧଚେତ୍ତା ।
କଳୁଷ କାଳିମା ରଖିଛି ଧିକ୍କାରି
ଶକ୍ତି କରେ ସାମଭଗ୍ନ
ଊର୍ଦ୍ଧ୍ୱଗ ଆତ୍ମାର ହୁଅ ଅଧିକାରୀ
ଋଷି ତୁଲ୍ୟ ଆତ୍ମମଗ୍ନ ।
ପ୍ରସନ୍ନ କୁମାର ମାଦଳା