ବୃଦ୍ଧ
ବୃଦ୍ଧ
ବୃଦ୍ଧ ଶବ୍ଦ ଅର୍ଥ ଜ୍ଞାନୀ ଜ୍ଞାନ ଯହିଁ ଠୁଳ
ସମାଜ ସମୃଦ୍ଧ କରେ ଜ୍ଞାନ ଅବିରଳ ।
ସେ ଜ୍ଞାନକୁ କାର୍ଯ୍ୟାନ୍ବିତ କରଇ ଯୌବନ
କାର୍ଯ୍ୟ ସମାପନାଧାରେ ଅରଜଇ ଜ୍ଞାନ ।
ବାଳୁତ କିଶୋର ସାଜେ କିଶୋର ଯୁବକ
ଯୁବକ ବୃଦ୍ଧତ୍ବ ଛୁଇଁ ବଢାଏ ବିବେକ ।
ଏଇତ ଧାରାବାହିକ ସାମାଜିକ ନ୍ୟାୟ
ଅନୁଚିତ, ବୁଢା ବୋଲି ବ୍ୟକ୍ତି ହେବ ହେୟ ।
ବୁଢା ଶବ୍ଦାର୍ଥ ଗରିମା ଗଭୀରତା ଚିନ୍ତି
ସମାଜ ସମର୍ପି ଅଛି ଯେ' ବୟସ୍କ ବ୍ୟକ୍ତି ।
ବ୍ୟକ୍ତି ହେଉ ଜୀବ ହେଉ ପ୍ରକୃତି ପର୍ଯ୍ୟାପ୍ତ
ଆୟୁଷ ଚତୁର୍ଥତାରେ ଏଇ ଶବ୍ଦ ବ୍ୟାପ୍ତ ।
ଯଦି କେଉଁ ସ୍ଥିତି ଆଳେ ଏ ଶବ୍ଦ ଗରିମା
କ୍ଷୁର୍ଣ୍ଣ ହୁଏ, ଭାବ ହୁଏ ସମାଜେ କାଳିମା ।
ଜ୍ଞାନୀ ଯିଏ ବୁଢା ସିଏ ନ ହେଉ ବୟସ
ଯେଉଁ ଜ୍ଞାନେ ସମୃଦ୍ଧଇ ସମାଜର ଅଂଶ ।
ଶିଥିଳ ଇନ୍ଦ୍ରି, ଲୋଳିତ ଚର୍ମ ପଛେ ହେଉ
ପକ୍ବକେଶେ ବୟସ୍କତା ଝଳି ରୂପ ପାଉ ।
ସାମାଜିକ ସଂଗଠନେ ନାହିଁ ଯୋଗଦାନ
ସେଠି ବୁଢା ଶବ୍ଦ ଆଖ୍ୟା ହୁଏ ଅକାରଣ ।
ଥାଉ ବାଳୁତ, କିଶୋର ଅବା ଯଉବନେ
ସମ୍ପୃକ୍ତ କେ' ଯଦି ସୁ-ସମାଜ ସଂଗଠନେ ।
ଜ୍ଞାନେ ପରିପକ୍ବ କରୁଥାଏ ଯେ ବିଚାର
ବୃଦ୍ଧ ଶବ୍ଦ ପାଇବାକୁ ସିଏ ହକଦାର ।
ଜ୍ଞାନ ନୁହଁଇ ସୀମିତ ଖାଲି ବିଦ୍ୟାଳୟେ
ବିଦ୍ୟାଳୟେ ରୁହେ ପରିମାର୍ଜିତ ପର୍ଯ୍ୟାୟେ ।
ସେଠି ଏକାଧାରେ ମିଳେ ବହୁ ଜ୍ଞାନ ଉତ୍ସ
ସାମାଜିକ ମାନଦଣ୍ଡ କରିବାକୁ ଉଚ୍ଚ ।
ଲାଭ କିବା ନୋହିଲେ ସେ ଜ୍ଞାନ ରୂପବନ୍ତ
ଅଥବା ରହିଲେ ଖାଲି ସ୍ବାର୍ଥରେ ବିର୍ଲିପ୍ତ ।
ସମାଜ ନ ପାଏ ଯଦି ତୀବ୍ର ବିକିରଣ
ଭେଣ୍ଡି ମୂଲ୍ୟେ ସ୍ବର୍ଣ୍ଣ ବିକ୍ରୀ ହେବ ପ୍ରକରଣ ।
ବୃଦ୍ଧ ଆଖ୍ୟା ସେଠି ନ ପାଇବ ଭବ୍ୟ ରୂପ
ଅଛନ୍ତି ବିଦ୍ବାନ ଏଇ ରୂପେ ତ ଅମାପ ।
ବିଦ୍ୟାଳୟ ପରିସରେ ଯେ'ରଖିନି ପାଦ
ତାଙ୍କୁ ଅଜ୍ଞାନୀ କହିବା ଅବିବେକବାଦ ।
ସୀମାହୀନ ଜ୍ଞାନେ ନାହିଁ କୂଳ କି କିନାରା
ଧରେ ଖାଲି ଉଚିତ ବା ଅନୁଚିତ ଧାରା ।
ଯାହା ସାମାଜିକ ତାହା ଉଚିତ ବୋଲାଏ
ଅସାମାଜିକ ଜ୍ଞାନ ହିଁ ଅନୁଚିତ ହୁଏ ।
ସେ ବୟସ୍କ, ବିଦ୍ୟାଳୟୁ ନ ଆହରି ଜ୍ଞାନ
ସମାଜରୁ ପାଉଥାଏ ବୃଦ୍ଧତ୍ବ ଆସନ ।
ଅନ୍ତତଃରେ ଜୀବନର ଅତିକ୍ରମଣରେ
ଜୀବନ ପର୍ଯ୍ୟାୟ ଠୁଳ ଅଛି ତା ଜ୍ଞାନରେ ।
ସ୍ନେହ, ଶ୍ରଦ୍ଧା, ଭକ୍ତି, ପ୍ରୀତି, ଆଚାର, ବିଚାର
ପରିପକ୍ବ କରିଛି ତ ଏ ଜ୍ଞାନ ଆଧାର ।
ବାଣ୍ଟୁଛି ତ ସେଇ ଜ୍ଞାନ ନିଜ ପରିସରେ
ଭରସୁଛି ନବ ପିଢି ସେ ଜ୍ଞାନ ଆଧାରେ ।
ଏଣୁ ଉପଯୁକ୍ତ ସିଏ ବୃଦ୍ଧ ଶବ୍ଦ ପାଇଁ
ତେଣୁ ସମାଜ ଏ ଶବ୍ଦ ବୟସ୍କେ ଦିଅଇ ।
ବଟ ବୃକ୍ଷ ବୟସ୍କରେ ବହୁ ଜାଗା ଛାଏ
ବହୁତ ଜୀବେ ଶିଥିଳ ଶାନ୍ତି ଛାୟା ଦିଏ ।
ବହୁ ଜୀବେ ଦିଏ ଆଶ୍ରା ଦିଏ ଖାଦ୍ୟ ଦାନ
ତାର ବୟସ୍କତା ପାଇବ କି ହେୟ ଜ୍ଞାନ ?
ସେ ପର୍ଯ୍ୟାୟେ ଘୃତର ଯେ ଔଷଧୀୟ ଗୁଣ
ବୟସ୍କେ ସାଜଇ ତାହା ଅମୃତ ସମାନ ।
ବୟସ୍କ ସୂଚାଏ ଜୀବନଟା ଝକମକି
ସର୍ବ ଆଶା ସର୍ବ ଅହଂ ରହିଯିବ ବାକି ।
ଶାରୀରିକ ବଳେ ସିନା କ୍ଷୀଣ ଏ ବୟସ୍କ
ଶିକ୍ଷାଦିଏ ସଦା ଜୀବନର ମାନସାଙ୍କ ।
ହେ ତିନି ଅବସ୍ଥା ମୋର ଲେଖନୀ ସୂଚାଏ
ହୀନଭାବ ରଖିବନି ବୟସ୍କେ କେବେହେଁ ।
ସତ୍ୟ ଦିନେ ତୁମେ ଛୁଇଁବ ଏ ସୀମାରେଖା
ରଖ ନୀତି ନ କରିବ ବୃଦ୍ଧତ୍ବେ ଉପେକ୍ଷା ।
ସେଦିନ କେଶରୀ ଆଜି ବଳେ ଅଛି ଥକି
ଜ୍ଞାନେ ସେଯେ ହିମାଳୟ ପାରୁଛ କି ଲକ୍ଷି ।
ତାକୁ ହୀନ ବୋଲି ଭାବୁଥାଏ ଯେ ନିର୍ବୋଧ
ଲକ୍ଷଗୁଣ ଥାଉ ତା'ର ନାହିଁ ଜ୍ଞାନ ବୋଧ ।
ମୋ ଲେଖନୀ ନମେ ପ୍ରତି ବୟସ୍କ ଚରଣେ
ସମାଜର ସଂସ୍ଥାପକ ବୋଲି ଏ' କାରଣେ ।