କାହିଁକି ଗଲୁ ଦ୍ୱାରିକା ପୁର
କାହିଁକି ଗଲୁ ଦ୍ୱାରିକା ପୁର
କାହିଁକି ଗଲୁ ତୁ ଦ୍ଵାରିକା ପୁର
ଲୁଣି ପାଣି ସମୁଦ୍ରକୁ
ଯାଇ ଭୂଲିଗଲୁ କଦମ୍ବ ମୂଳ
ଯମୁନା ନଇଁର ମିଠା ପାଣିକୁ ।
ସାଙ୍ଗସାଥୀ ମେଳେ ଘରେଘରେ ପଶି
ଲହୁଣୀ ଚୋରାଇ ଖାଉଥିଲୁ
ଦ୍ଵାରିକା ଯାଇ ରାଜ ବ୍ୟଞ୍ଜନ ପାଇ
କ୍ଷୀର ଲହୁଣୀ ଭୁଲିଗଲୁ ।
ଗୋପୀ ମେଳରେ ମନ ଖୁସିରେ
ବଇଁଶୀ ବଜାଉଥିଲୁ
ଦ୍ଵାରିକା ପୁରେ ରାଜଗାଦିରେ
ରାଜକାର୍ଯ୍ୟ ତୁଲାଇଲୁ ।
ଗୋପର ବନ୍ଧୁ ସୁଦାମା ପାଖକୁ
ଯାଇତ ପାରିଲୁ ନାହିଁ
ଦ୍ୱାରିକାର ରାଜଗାଦୀ ମୋହରେ
ଭୂଲି ଯାଇଥିଲୁ ତୁହି
ମଥୁରାରେ ଜନ୍ମି ଗୋପରେ ବଢ଼ି
ଆନନ୍ଦରେ ରହିଥିଲୁ
ଦ୍ୱାରିକା ପୁରର କର୍ମଭୂମିରେ
ଜଂଜାଳରେ ବୁଡିଗଲୁ ।
ପ୍ରେମ ପାଗଳିନୀ ରାଧିକା ପାଇଁ
ଯମୁନା ଯାଉଥିଲୁ
ଦ୍ୱାରିକା ଯାଇ ରାଣୀଙ୍କ ମେଳେ
ରାଧାକୁ ଭୂଲିଗଲୁ ।
କାଣୀ ଆଙ୍ଗୁଠିରେ ଗୋପପୁରରେ
ଗୋବର୍ଧନ ଉଠାଇ ଥିଲୁ
ଦ୍ୱାରିକା ପୁରେ ସୁଦର୍ଶନ ଧରି
ପ୍ରଜାପାଳନ କଲୁ ।
ବାଳୁତ କାଳରେ ଅସୁର ବିନାଶି
ଗୋପକୁ ରକ୍ଷା କଲୁ
ଦ୍ୱାରିକା ପୁରେ କୋକୁଆ ଭୟେ
ନିଜ ପ୍ରଜାକୁ ନାସିଲୁ ।
ବନ୍ଦୀଶାଳାରେ ଜନମ ହୋଇ
କେତେ ଯେ ଲୀଳା କଲୁ
ଶିଉଳି ଲଟା ମୂଳରେ ଶୋଇ
ଲୀଳା ସମାପ୍ତ କଲୁ ।
କେତେ ଯେ ଲୀଳା ସଂସାରରେ କଲୁ
ବର୍ଣ୍ଣିଲେ ସରିବ ନାହିଁ
ମୁଁ ଛାର ଅଧମ ଅଜ୍ଞାନ ନିର୍ବୋଧ
କ୍ଷମା କରିଦେବୁ ତୁହି ।