ଶ୍ରୀ ଲେଖା
ଶ୍ରୀ ଲେଖା
ପୁରୀ ଶ୍ରୀକ୍ଷେତ୍ର ସେ ପ୍ରାଚ୍ୟ ବେଳାଭୂମି
ନୀଳ ସାଗରର ତୀରେ ।
ସେଦିନ ର ସେଇ ମଧୁର ମୁହୂର୍ତ୍ତ
ଅଭୁଲା ମୋ'ସ୍ମୃତି ଧାରେ ।।
ଦୂର ଦିଗ୍ ବଳୟେ ଭସା ମେଘ ସାଥେ
ସାଗର ନୀଳ ଲହରୀ ।
ମିଳନ ମୁହୂର୍ତ୍ତ ସୁଗମ ସଙ୍ଗୀତ
ଗାଉଥିଲା ମନ ଭରି ।।
ଛୁରିଅନା ଛାଇ ହସି ଉଠୁଥିଲା
କଅଁଳ ସୁରୁଜ ଦେଖି ।
ବୈଶାଖୀ ବକ୍ଷ ବି ମାତି ଉଠୁଥିଲା
ହେବାକୁ ସାଥିର ସାକ୍ଷୀ ।।
ପ୍ରକୃତିର ସେଇ ମିଠା ମୁହୂର୍ତ୍ତରେ
ଜଣେ କିଏ ନୀଳ ପରୀ ।
ଉଭା ହେଲା ଆସି ମୋ'ଆଖି ଆଗରେ
ବସିଥିଲି ମନ ମାରି ।।
ଆଖିରେ ତାହାରି ଆପଣାର ବୋଧ
ଓଠରେ ନୀରବ ଗୀତି ।
ସେ ଗୀତିରେ ଥିଲା ନୀରବର ଝଡ଼
ଦରଦ ବାଣ୍ଟିବା ରୀତି ।।
କିଏ ଜାଣିଥିଲା ସେ କେଇ ମୁହୂର୍ତ୍ତ
ମୋ'ପାଇଁ ହେଲା ନିଗୁଢ଼ ।
କିଏ ଭାବିଥିଲା ନୀରବେ ନୀରବେ
ତା'ପ୍ରୀତି ମୋ'ପାଇଁ ସିଦ୍ଧ ।।
ଅବ୍ୟକ୍ତ ଥିଲା ମୋ'ମନର ଦରଦ
ହୃଦୟର ତିକ୍ତ ଜ୍ୱାଳା ।
ବୁଝି ପାରୁଥିଲା ଅନୁଭବ କଲା
ତଥାପି ନୀରବିଥିଲା ।।
ଦେଖିଲି ସେ ଜଣେ ଅମାୟିକ ସତ୍ୟ
ମିଥ୍ୟାର ଏ ସହରରେ ।
ଦୁଃଖ ଚାପିଦେଲି ସୁଖକୁ ବାଣ୍ଟିଲି
ମଧୁ ମିଳନ ଆଶାରେ ।।
ଫଗୁଣ ନ ଥାଇ ବସନ୍ତ ଆସିଲା
ମୃଦୁ ମଳୟ ବହିଲା ।
ସାଗର ହସିଲା ବଉଦ ନାଚିଲା
ମନ୍ଦିରେ ଶଙ୍ଖ ଶୁଭିଲା ।।
ସାଥି ଯଦି ଜାଣେ ସାଥିର ବେଦନା
ସେ ସିନା ଜୀବନ ସାଥି !
ସ୍ୱାର୍ଥରେ ସ୍ୱାର୍ଥରେ ସଂକୀର୍ଣ୍ଣ ରୀତିରେ
ପର ହୋଇଯାଏ ପ୍ରୀତି ।।
ନୀରବ ରହିଲା ତା'ଆଖି ବାଣ୍ଟିଲା
ଅନେକ ସୁଖ ସପନ ।
ସପନ ନୁହେଁ ସେ ଜୀବନର ବ୍ୟାଖ୍ୟା
ଉଭୟେ ସେଥିରେ ଲୀନ ।।
ତାଆରି ମନର ମିଠା ମହକରେ
ମୋ'ଅଗଣା ହସୁଥିଲା ।
ମନ ଆଇନାରେ ଚିତ୍ରପଟ ତା'ର
ଚିତ୍ରଲେଖା ରୂପ ନେଲା ।।
ସେଇ ଚିତ୍ରଲେଖା ମୋ'ଭାଗ୍ୟ ଶ୍ରୀଲେଖା
ଭବ୍ୟ ବଧୁ ନିରୂପମା ।
ଭାଗ୍ୟ ଖାଲି ନୁହେଁ ପ୍ରିୟା ପୁଣ୍ୟଶ୍ଲୋକ
ରୂପରେ ସେ ଅନୁପମା ।।