ସତରେ ଆସନ୍ତ ତୁମେ
ସତରେ ଆସନ୍ତ ତୁମେ
ସେ ଦିନର କଥା ମନେ ପଡ଼େ ମୋର
ଆଜି କିଆଁ ବାର ବାର ,
ବହଳ ନିଦର ସପନରେ ତୁମେ
ଆସିଥିଲ ମୋହ ଠାର ।
ଓଠରେ ତୁମର ଲାଗି ରହିଥିଲା
ଚେନାଏ ମଧୁର ହସ ,
ସେଇ ହସ ଦେଖି ନିମିଷକ ମଧ୍ୟେ
ହୋଇଗଲି ମୁହିଁ ବଶ ।
ଆଖି ଠାରି ଯେବେ ଡାକିଲ ପାଶକୁ
ଆନନ୍ଦେ ବିଭୋର ହେଲି ,
ଅପଲକ ନେତ୍ରେ ତୁମ ଶୋଭା ଚାହିଁ
ନିଜକୁ ପାସୋରି ଦେଲି ।
ମଧୁର ତାନରେ ଛନ୍ଦ ତୋଳି ତୁମେ
ବାଇଲ ମୋହନ ବଂଶୀ ,
ତୁମ ଅଙ୍କେ ମଥାରଖି ଆନନ୍ଦରେ
ପୁହାଉଥିଲି ମୁଁ ନିଶି ।
ସଜ କୁସୁମର ଭୁରୁଡୁରୁ ବାସ
ଛୁଟୁଥିଲା ତୁମ ଅଙ୍ଗୁ ,
ଡୁବି ଯାଇଥିଲି ଆନନ୍ଦ ସାଗରେ
କେତେ କ୍ଷଣ ତୁମ ସଙ୍ଗୁ ।
ସେତେବେଳେ କେଉଁ ବଇରୀ ଆସିକି
ସହସା ହୋଇଲା ଠିଆ,
ଆନନ୍ଦ ସାଗରୁ ଓଟାରି ଆଣିଲା
ଭିଡିକରି ମୋର ହିଆ ।
ଅଚାନକ ତୁମେ ଅପସରି ଗଲ
ସପନ ମୋ ଗଲା ଭାଜି ,
ସେ ଦିନୁ ସେ କଥା ପାସୋରି ପାରୁନି
ସୁମରୁଛି ତାକୁ ଆଜି ।
ସେଇ ସ୍ଵପ୍ନ ମୋର ସତ୍ୟ ହୁଅନ୍ତା କି
ସତରେ ଆସନ୍ତ ତୁମେ ,
ଏ ଜୀବନ ଆହା-ଧନ୍ୟ ହୋଇଯା'ନ୍ତା
ପ୍ରଭୁ ତଵ ଦରଶନେ ।।
ବି. ନିରୁପମା
ମାମୁରିଆ, ଛେଣ୍ଡିପଦା,ଅନୁଗୋଳ