ଛିଣ୍ଡା କମ୍ବଳ
ଛିଣ୍ଡା କମ୍ବଳ
ହୋଇପାରେ ହିତ ହାଡଭଙ୍ଗା ଶୀତ
କାହା ପାଇଁ ଖୁସି ଖେଳ
ଅଘରୀ ମୁଁ ରହି ପାରୁନାହିଁ ସହି
କେମିତି କାଟିବି ବେଳ ?
କାହା ଲାଗି ବିଧି ଖଞ୍ଜିଅଛି ନିଧି
ନହେଉ ପଛକେ ଲୋଡା
ମରୁଥାଇ ଥରି ଫଟାଭାଗ୍ୟ ଧରି
ଆମରି କରମ ପୋଡା ।
କୋଠାଘରେ ସ୍ଥିତ ଲୋକଙ୍କୁ କି ଶୀତ
ହଲାଇ ନପାରେ ତିଳେ
ବସନ ଅମାପ ଘରେ ଉଷ୍ମତାପ
ଚାହୁଁ କି ନଚାହୁଁ ମିଳେ ।
ଶୀତରେ ପରବ ଯେତେକ ଦରବ
ବିଳାସବ୍ୟସନେ ନୂଆ
କଲା ମାତ୍ରେ ଇଚ୍ଛା ସବୁ ତାଙ୍କ ପିଛା
ସହଳେ ହୁଅଇ ଥୁଆ ।
ମୁଁ ହୀନକପାଳୀ ଭରେନାହିଁ ଥାଳି
ନିରାହାରେ ଟଳମଳ
ହେମାଳ ଶୀତରେ କାହିଁ ମୋ ଭିତରେ
ସହିବାର ଆଉ ବଳ ?
ଘରଦ୍ଵାର ନାହିଁ ଆଶ୍ରାଟିଏ ଚାହିଁ
ଘୂରି ବୁଲେ ବାରପିଣ୍ଡା
ଢାଙ୍କିବାକୁ ଲାଜ ବସ୍ତ୍ର ନାହିଁ ଆଜ
ପିନ୍ଧୁଛି କନ୍ତରା ଛିଣ୍ଡା ।
ଏ ଧରା ଉପରେ ଆପଣା ରୂପରେ
କେହି ନାହିଁ ମୋର ଲୋକ
ମିଳିଗଲେ ଗଣ୍ଡେ ବିତିଯାଏ ଦଣ୍ଡେ
ତଥାପି କି ମରେ ଭୋକ ?
ଭଗବାନ ତୁମେ ଦେଇଛ ତ ଭୂମେ
ଖରା ବର୍ଷା ଶୀତ ଦାଉ
ଗରିବଙ୍କ ପାଇଁ ନଥିଲା କି କାହିଁ
ଦହିବା ଉପାୟ ଆଉ ?
ଦେଖ ମୋ ନନ୍ଦନ କଲାଣି କ୍ରନ୍ଦନ
ଶୀତରେ ଜାବୁଡ଼ି ଧରି
ଛିଣ୍ଡା ପଣତରେ କେମିତି ସତରେ
ରଖିବି ଘୋଡାଇ କରି ?
ଘର ନାହିଁ ଯହିଁ ପାରୁନି ମୁଁ ସହି
ଦୋକାନ ପିଣ୍ଡାରେ ବସି
ଥରୁଅଛୁ ଦୁହେଁ ସ୍ତନ ଦେଇ ମୁହେଁ
ପିନ୍ଧାଲୁଗା ଯାଏ ଖସି ।
ନିରାଶା ବଳରେ ଛିଣ୍ଡା କମ୍ବଳରେ
ରଖିଲି ଭରସା ସବୁ
ହେ ବିଶ୍ବ ଆଧାର ଏବେ ଏ ବାଧାର
ନିବାରଣ କର ପ୍ରଭୁ ।
ପ୍ରସନ୍ନ କୁମାର ମାଦଳା