ବୋଉର ସ୍ମୃତି
ବୋଉର ସ୍ମୃତି
ଅବିରଳ ପୁଣ୍ୟତୋୟା ମନ୍ଦାକିନୀ ବାରି
ମାଆ ମୋର ସର୍ବଂସହା ଧରଣୀଠୁ ଭାରି ,
ଯୁଗ ଯୁଗ ଗାଇ ହେଲେ ଜନ୍ମଦାତ୍ରୀ ଗୁଣ
କିଏ ଏଠି ଦେହଧାରୀ ଶୁଝିଛି ତା' ଋଣ ?
ଝୁରୁଅଛି ଭାରି ଆଜି ମୋ ବୋଉର କଥା
ନାହିଁ ସିନା ପାଶେ ମୋର ନଇଁଯାଏ ମଥା ,
କେତେ କଷ୍ଟ ସହିଥିଲା ଆମକୁ ସେ ପାଳି
ସ୍ବପ୍ନ ପରି ଲାଗେ ସବୁ ଏବେ ଭାଳି ଭାଳି ।
ବାଡିପଟ ବାରଣ୍ଡାରେ ଗୁମ୍ ସୁମ୍ ବସି
ଟାଙ୍ଗରା ସେ ମୁଣ୍ଡଟାରେ ହାତ ଘଷି ଘଷି ,
ଆଖିକି ତରାଟି ଟିକେ ଏଣେତେଣେ ଚାହିଁ
ଦେଖୁଥାନ୍ତି ଚଢେଇଟେ ଥିଲା ଗଲା କାହିଁ ।
ସକାଳର ଝାପ୍ସା ଝାପ୍ସା ଛାଇ ଆଲୁଅରେ
ଏବେ ବସିଥିଲା ଆଣି ଚାଉଳ ଥୁଅରେ ,
ଏତେ କହି ବାପା ଆମ ହେଉ ହେଉ ଠିଆ
ବୋଉ ଆଣି ବାଢ଼ି କହେ କିପାଇଁ ଛାନିଆ !
ଏହିକ୍ଷଣି ସଜାଡ଼ି ସେ ଆମ ବାସି ଶେଯ
ଥୋଇଗଲା ଗୁହାଳରେ କୁଣ୍ଡାପାଣି ପେଜ ,
ସାରିଲାଣି ନିଜ କାମ ଅନ୍ଧାରୁ ଯେ ଆହା
ଚୁଲି ଲଗାଇଲେ ହବ ଡିକାସିନି ଚାହା ।
ଘୋଟଣା ବି ବଢାହେବ ରନ୍ଧା ଗଲେ ସରି
ବିଲକୁ ହଳିଆ ଯିବେ ସାଥେ ସାଥେ ଧରି ,
ପିଲାଏ ଖାଇଲେ ଗଣ୍ଡେ ପାଠପଢି ଯିବେ
ତରବର ନହେଲେ କି ଅପେକ୍ଷାରେ ଥିବେ !
ଯେଝା କାମ ବାହାନାରେ ସଭିଏଁ ତ ବ୍ୟସ୍ତ
ସୀମାବଦ୍ଧ ପରିଧିରେ ଦାୟିତ୍ୱ ଯେ ନ୍ୟସ୍ତ ,
ମନ ଯେତେ ବୁଝେନାହିଁ କିଏ ବି ତାହାର
କେବେ ହେଲେ ଫୁରସତ ହୁଏନା ବାହାର ।
କରିନାହିଁ ବ୍ୟସ୍ତତାରେ ନିଜ ପାଇଁ ଶୋକ
ସମସ୍ତଙ୍କୁ ଭୁଞ୍ଜାଇ ସେ ଭୁଲିଯାଏ ଭୋକ ,
ସ୍ବାବଲମ୍ବୀ କରେଇ ସେ ଆମକୁ ଆଦରେ
ପିନ୍ଧେନି ଚପଲ ହଳେ ପୁଙ୍ଗୁଳା ପାଦରେ ।
ରୋଗ ଶୋକ କହିବାକୁ ଖୋଲିନାହିଁ ମୁହଁ
ପିଲାଙ୍କ କଷ୍ଟରେ ଯାହା ଉଛୁଳେ ତା ଲୁହ ,
ଗୁପ୍ତ ଗଙ୍ଗା ଥିଲେ ଥିବ ବେନି ଆଖି ତଳେ
ଜମାଟ ବରଫ ପରି କେବେ ବି ନଗଳେ ।
ପ୍ରସନ୍ନ କୁମାର ମାଦଳା