ସତୀର ପ୍ରଶ୍ନ
ସତୀର ପ୍ରଶ୍ନ
ଅତୀତର ସେହି ଅମଳିନ ପୃଷ୍ଠା
ଜନ୍ମାଏ କେତେ ଯେ ବ୍ୟଥା,
ହୃଦ ପୋଡ଼େ ଶୁଣି ବୃନ୍ଦାବତୀ ସତୀ
ପତି ପୀରତିର କଥା ।।
'ଆପଣା ପତିର ଜୀବନେ ମଙ୍ଗଳ'
ଚାହେଁ ନାହିଁ କେଉଁ ନାରୀ,
ସେଇତକ ଭିନ୍ନ ଜାଣେ ନାହିଁ ବୋଲି
ଭାଙ୍ଗି ଦେଲ ତାର ଶିରୀ ।।
କେଉଁ ନିୟମରେ ବନ୍ଧାହୋଇ ତୁମେ
କଲ ଏଡ଼େ ପାପ କର୍ମ,
କପଟକୁ ତୁମେ ଶ୍ରେଷ୍ଠ କଲ ସିନା
ବୁଝିଲନି ହୃଦ ମର୍ମ ।।
ଆପଣା ସୃଷ୍ଟିରେ ଆପେ ଛନ୍ଦିହୋଇ
ନିୟମ ବିରୋଧେ ଗଲ,
ବଡ଼ ଲୋକଙ୍କର ବଡ଼ିମାର ପାଇଁ
ନୀତିକୁ ପାଶୋରି ଦେଲ ।।
ଏଇ କର୍ମ କରି ମନେ ଭାବିଲକି
ବଡ଼ଲୋକ ହୋଇଗଲି,
ସେଇ ବଡ଼ପଣ ନୀରିହ ଜ୍ୱାଳାରେ
ଯିବ ନାହିଁ କି ହେ ଜଳି ।।
କେମିତି ସହିଲା ଧରମ ନିକିତି
ଧରମ ଦେବର ହାତେ,
ଅଶକତ କିବା ହୋଇଲା ତା ଦଣ୍ଡ
ବଡ଼ଲୋକ ଆଗେ ସତେ ।।
ସତୀ ନାରୀ ନେତ୍ରୁ ବହିଗଲା କେତେ
ରକତର ଅଶ୍ରୁ ଧାର,
ତାହାରି ସ୍ରୋତରେ ନ ଭାସିଲା କିମ୍ପା
କାହିଁକି କେଜାଣି 'ଧରା' ।।
ସତୀର ସତୀତ୍ଵ ଲୁଣ୍ଠନ ହୋଇବା
ମରଣରୁ ଯାଏ ବଳି,
ଭଲ ହୋଇଥାନ୍ତା ଜୀବନରୁ ଯେବେ
ଦେଇଥାନ୍ତ ମୋତେ ମାରି ।।
ବଡ଼ ପୁରସ୍କାର ଦେଇଦେଲ ମୋତେ
ନିଜ ଦୁର୍ବଳତା ଢାଙ୍କି,
ଆପଣା ପତ୍ନୀର ସତୀତ୍ଵ ଉପରେ
ପ୍ରଶ୍ନ ମାରିଲାନି ଉଙ୍କି ?
ପର ପ୍ରେୟସୀର ସତୀତ୍ଵକୁ ନାଶ
କଲ ସିନା ଭାବି ସାର,
ବଦଳେ ସ୍ବପତ୍ନୀ- ର ସତୀତ୍ଵ ବୃଦ୍ଧି
ନ ଥିଲା କି ଶ୍ରେୟସ୍କର ?
ବଡ଼ଲୋକ ବୋଲି ଯାହାକଲେ ସେତ
ବୋଧେ ଆପେ ଲୀଳା ହୁଏ,
ସବାଶେଷ ଲୋକ ର ଆଶା ଆକାଂକ୍ଷା
ହୃଦୟରେ ସଢ଼ିଯାଏ ।।