ବିଦାୟ ବେଳା
ବିଦାୟ ବେଳା
ହେ ସମୟ !
ଆଉ ଟିକେ ରହିଯା’
ମୁଁ ଭଲ କରି ଟିକେ ହିସାବ ତ କରିନିଏ
ଏଇ ବିଗତ ବର୍ଷର
ଅନ୍ତିମ ବେଳାରେ ।
କେତେ ନିରୀହ ହୃଦୟ ମୁଁ ଭାଙ୍ଗିଛି
ଆଉ କେତେ ଯୋଡିଛି
କେତେ ହସିଛି, କେତେ ହସାଇଛି
କେତେ କାନ୍ଦିଛି, କେତେ କନ୍ଦାଇଛି
କେତେ ଦେଇଛି ଆଉ କେତେ ଛଡେଇ ନେଇଛି
କେତେ ହଜାଇଛି ଆଉ କେତେ ପାଇଛି
ୟା’ରି ଭିତରେ ।
ଥରେ ଭଲ ଭାବରେ ଅନୁଶୀଳନ ତ କରିନିଏ
ଏ ଗୋଟିଏ ବର୍ଷର ଜୀବନ ଯାତ୍ରାରେ
ମୋ ସଫଳତା ଆଉ ବିଫଳତାର ପାଦ ଚିହ୍ନ
ଥରେ ଓଲଟେଇ ନିଏ
ମୋ ହାର୍ ଜିତ୍ ର ଇତିହାସ
ଥରେ ଗୋଟେଇ ନିଏ
ଏଇ ବର୍ଷକର ଅଭୂଲା ଅଲିଭା ସ୍ମୃତି
ପୁଣି ଶେଷ ଥର ପାଇଁ
ଥରେ ଚେତେଇ ଦେଖେ
ଗାଢ ନିଦ୍ରାରେ ଶୋଇ ପଡିଥିବା
ମୋ ସ୍ଵପ୍ନ ସବୁକୁ
କାଲେ କିଏ ଉଠି ପଡିବ
ମୋ ଏଇ ନୂତନ ଯାତ୍ରା ପଥରେ
ସହଯାତ୍ରୀରେ ସାଜିବା ଇଚ୍ଛାରେ ।
ହେ ସମୟ! କୁହ ତ
କାହିଁକି ତୁମର ଏତେ ଉତ୍ସୁକତା
ଶୀଘ୍ର ଶୀଘ୍ର ଗଢି ଯିବାକୁ
ଥରେ ତ ହଜିବାକୁ ଦିଅ
ସେଇ ଅଭୂଲା ଦିନ ଗୁଡିକରେ
ଯାହା ଆଜିବି ମୋ ମନ ଉଦ୍ୟାନରେ ଜୀବନ୍ତ
ଶେଷ ଥର ପାଇଁ ସେସବୁକୁ ଗୋଟେଇ ନିଏ
ଯାହା ମୋତେ ଦେବ ବଞ୍ଚିବାର ଅବଲମ୍ବନ
ଚାଲିବାର ନିଦର୍ଶନ
ନବବର୍ଷର ଏ ନୂତନ ଯାତ୍ରାରେ ।