ସଂସାର ସାର
ସଂସାର ସାର
କୁନା କାନ୍ଦେ କୁନି କାନ୍ଦଇ
ଟୋପା ଟୋପା ଲୁହ ଝରାଇ
ପୂବେଇ ବାଦଲରୁ ବାରି
ଆସିଲା ଯେବେ ଝରି ଝରି
ଅଦିନ ବରଷା ଝଡରେ
ବାଇ ଚଡେଇଟି ନିଡରେ
ପାଳିଥିଲା ଯା ଯତନରେ
ଖସି ପଡିଲା ଅବେଳରେ
ଛପି ବସିଥିଲା ବିରାଡି
ଖାଇଥାନ୍ତା ବେକ ମୋଡି
ଧରି ଯତନେ ଟିକିଟିକି
ରଖିଦେଇ ଚାହିଁ ଚାହିଁକି
ଝୁଲାଇ ଶିକାରେ ଯତନେ
ରଖିଲେ ପଳାଏ ମଉନେ
ଦୂରରୁ ଦେଖି ଏଇ କଥା
ବାଇ ଚଢେଇ ପୋତି ମଥା
ହେଉ ପଶୁ ବା ପକ୍ଷୀ ଦୁଃଖ
ନହେଉ କାହା ପ୍ରତି ବିମୁଖ
କରିଲା ବୋଧେ ସ୍ୱିକାର
ଆଣିଲା ତୁରିତ ଆହାର
ପିଲାଙ୍କୁ ଦେଖି ଆନନ୍ଦରେ
କାକଳି କଲା ଉଚ୍ଚ ସ୍ୱରେ
କୁନା କୁନି ହୋଇଲେ ଖୁସି
ରହିଲେ ଦୂରେ ଧୀରେ ବସି
ପକ୍ଷୀ ଶାବକ ମା’ ତୁଣ୍ଡୁ
ଖାଇ ଆହାର ଉଣ୍ଡୁ ଉଣ୍ଡୁ
କୁନା କୁନି ଚାଲିଲେ ଘର
ଏ ପ୍ରଥା ଜୀବନ ବେଭାର
କରେ ଯେ ପର ଉପକାର
ସେହି ତ ସଂସାରରେ ସାର ।