ଜୀବନ ସଂଗୀତ
ଜୀବନ ସଂଗୀତ
ଏବେ ସରି ଯାଉଛି ଏ ରାସ୍ତା
ଶୀତର ଦେହରେ
ମୁହୂର୍ତ୍ତ ପରେ ବରଫ ପାଲଟି ଯିବ
ସବୁଯାକ ମେଦ- ମାଂସ- ରକ୍ତ- ହାଡ
ଛାତିଏ ରାତିରେ ।।
ଏବେ ଆଂଜୁଳାଭର୍ତ୍ତି ଦୁଃଖ ମୋର
ଶୁଖିଲା ସମୁଦ୍ର ,
ପାହୁଂଡ ଟେକିଲେ ଲାଗୁଛି ଯେମିତି
ଅନିଶ୍ଚିତ ଭବିଷ୍ୟତ
ପାଦ ଥାପିଲେ ଖସୁଛି
ମାଳ- ମାଳ ଦଂଶନ ବୃଶ୍ଚିକ ।।
ନା' ଏବେ ଆକାଶକୁ କହି ପାରୁଛି
ସୁଖ ଦେ- ସ୍ବପ୍ନ ଦେ ମୋତେ,
ଚଞ୍ଚୁରେ ଚଞ୍ଚୁରେ ଦୁଃଖ ସବୁ ପଖାଳି
ଶୁଷ୍କ ଆଂଜୁଳା ମୋର ଓଦା କରିଦେ,
ନା' ଅବା ମାଟିକୁ ପଚାରି ପାରୁଛି
ଚେର ମୋର ଚେରେଇ ଦେ,
ଅଲରା ରଂଗ ସବୁକୁ ସଜାଡି ସଜାଡି
ମୋତେ ରଂଗୀନ ପ୍ରଜାପତିଟିଏ କରି ଦେ ବୋଲି ।।
ଏବେ ଆଉ ସେ- ସବୁ ପ୍ରମାଣ କରି
ଲାଭ ବା' କଣ !
ଆକାଶର ରଂଗ/ ମାଟିର ମହକ
କୃଷ୍ଣଚୂଡା ହସ ଆଉ
କୁରେଇ ଫୁଲର ସଉକ ।।
ହୁଗୁଳି ଗଲେଣି ସଭିଏଁ
ଯିଏ- ଯାହାର ରାସ୍ତାରେ
ପାକୁଳି ମାରୁଛି ଖାଲି
ନିଜେ-ନିଜସ୍ୱ ଭିତରେ
ଶିବୋହଂ ଶିବୋହଂ କହି
ପତ୍ରଝଡା ଋତୁର
ଅଂତିମ ସଂଧ୍ୟାରେ ।।
*** *** *** ***
ଡଃ ଶିବ ପ୍ରସାଦ ତ୍ରିପାଠୀ
ସ୍ମୃତି ନିଳୟ,ଉଦୟ ନଗର
ଷ୍ଟେସନ ରୋଡ, ବଲାଙ୍ଗୀର( ଓଡିଶା)
shibatripathy262@gmail.com