ପ୍ରତିବିମ୍ବ
ପ୍ରତିବିମ୍ବ
ମନ କାନ୍ଭାସରେ ସାଇତା ଚିତ୍ରଟି
ଆଗଭଳି ଚମକୁଛି
କେମିତି ଜାଣିବି ଝଡ଼ର ଝଟକା
କିଏବା ଦେଇଛି ପୋଛି ।
ଭଲ ଥାଉ ଏଇ ମୁକୁଳା ଆକାଶ
ଅସୁମାରୀ ନୀରବତା
ପରସ୍ତ ପରସ୍ତ ଅଭିମାନ ମୋର
ହାଲକାଏ ଆବିଳତା ।
ଜ୍ୱଳନର ବ୍ୟଥା ହିସାବ କରିନି
ଅନାବିଳ ହୃଦୟରେ
ସମ୍ଭାଳି ନେଇଛି ଅଧା ଶୋଷ ମୋର
ଅଳ୍ପ ଅଳ୍ପ ନିଦାଘରେ ।
ଗୋଧୂଳି ରଙ୍ଗର ତୁମ ଛାଇ ଯେବେ
ଦୈର୍ଘ୍ୟ ପ୍ରସ୍ଥ ଖୋଜୁଥିଲା
ରଫ୍ଖାତାର ପୃଷ୍ଠା ଲେଉଟାଇ
ସବୁକିଛି ବଦଳିଲା ।
ମୋହାଛନ୍ନ ଏକ ବିସ୍ତୃତି ଶବ୍ବରେ
ତମେ ପ୍ରତିବିମ୍ବ ମୋର
ଲୋଡୁଥିବି ଆଜି ସଂକଳ୍ପର ରେଣୁ
ପରିଚୟ ଯେତେ ତା'ର ।
ବୁକୁର ପରଶ ପୋଛି ପାରେନାହିଁ
ଅନାବିଳ ନୀରବତା
ଟିକିଏ ତ ଏଇ ଅଭିମାନ ଅଛି
ଅସୁମାରୀ ନୀରବତା ।
ଅପ୍ରାପ୍ୟ,ଅଦୃଶ୍ୟ କେଉଁ ମୂର୍ଛନାର
ଅକୁଣ୍ଠିତ ପ୍ରାଣ ମୋର
ଏତେ ଅପୂର୍ଣ୍ଣତା ନିଶା ଭରିଦିଏ
ଜୀବନ କୁ ବାରମ୍ବାର ।
ନୀଳ ଦରିଆର ସ୍ୱଛଜଳ ପରି
ପ୍ରଥମ ପ୍ରେମଟି ମୋର
ଏତେ ଉର୍ଦ୍ଧ୍ବତାର ଉତ୍ତାଳ ତରଙ୍ଗ
ଦିଶଇ କେତେ ସୁନ୍ଦର ।
କଢ଼ଟିଏ ଫୁଟେ ସୁଖ ପାଇବାକୁ
ବୁଝେନା ଅନ୍ଧାର ରାତି
ଆଜିର ସୂର୍ଯ୍ୟାସ୍ତ କାଲିକୁ ଆସିବ
ତମେ ଥିବ ମୋର ସାଥି ।
ଜୀବନ ଏମିତି କାଉଁଳିଆ ଖରା
କାକର ଟୋପାଟେ ପରି
ନିତି ଫୁଟୁ ଥିବ ସଂପର୍କର ଫୁଲ
ନଥାଏ କଳନା କରି ।
ଅଝଟ ଏ ସ୍ମୁତି ଜନ୍ମଜନ୍ମ ପାଇଁ
ସାଇତା ହୋଇବ ରହି
କେମିତି କରିବି ତୁମକୁ ଯେ ପର
ଜୀବନ ଯାଇଛ ନେଇ ।
ତୁଠ ପଥରର ଶିଉଳି ମୁଁ ନୁହେଁ
କୁଳୁକୁଳୁ ନଈ ପାଣି
ପାଦ ରଖିଦେବ ସେ କୂଳରେ ତମେ
ଧୋଇ ଦେବି ଜାଣିଜାଣି ।
ନିର୍ଜନ ରାସ୍ତାରେ କିଛି ଅବଶୋଷ
କିଛି ପୁଣି ଇସ୍ତାହାର
ଇଚ୍ଛା ଅନିଛାରେ ଆତ୍ମଗ୍ଳାନି ଜ୍ୱ।ଳା
ବାକି ରହେ ଜୀବନର ।
ବିଚିତ୍ର ବିଭେଦ ଜୀବନ ପ୍ରବାହ
ଅଫୁରନ୍ତ ଶୂନ୍ୟସ୍ଥାନ
ସଂସାରର ସ୍ୱପ୍ନ ଅସମାପ୍ତ ଗଦ୍ୟ
ବ୍ୟର୍ଥ ମରିଚିକା ମନ ।
ପୁଳାପୁଳା ଭାସେ କଳାବାଦଲଟା
ବିନା ମଳୟରେ ଖାଲି
ପତଙ୍ଗଟେ ହୋଇ ଝାସି ଦେବି କେବେ
ଅଭିବ୍ୟକ୍ତି ଜନ୍ମ ନେଲି ।
ସୌରଭ ନ ଥାଇ ମଉଳା ଫୁଲଟି
ଝରି ପଡେ ଅକାଳରେ
ପୂର୍ଣ୍ୟ ଅସମାପ୍ତ ଗଦ୍ୟ ନା ମୁଁ ପଦ୍ୟ
ହୃଦ ସନ୍ତାପିତ କରେ ।
ଅନିତା ରାୟ
ଭୁବନେଶ୍ୱର