ସେଇ ଜଣେ
ସେଇ ଜଣେ
ଭିଡ଼ ଭିତରେ ସମସ୍ତେ ଅଣନିଶ୍ଵାସୀ ହେଲା ବେଳେ
ମୁଁ କିନ୍ତୁ କାହିଁ ଚଳଚଞ୍ଚଳ ଥାଏ !!
ଶତ ସିଂହର ବଳ ନେଇ
ଲଙ୍ଘିଚାଲେ ଜନସମୁଦ୍ରକୁ..
ମୋ ଭିତରେ ଉଙ୍କି ମାରୁଥିବା
ସବୁ ଦୁର୍ବଳତା ଓ ଅପାରଗତା ମାନ
କେମିତି କେଜାଣି କେଇକ୍ଷଣ ସମାଧିସ୍ଥ ହୁଅନ୍ତି--
ମୋତେ ଡରେଇବା ଛାଡ଼ି...
ଭିଡ଼ରେ ଥିବା 'ସେଇଜଣେ' କୁ ଦେଖିବାର ଠିକ୍ ପରେ ପରେ।
ଏମିତି ନୁହେଁ ଯେ ମୁଁ ଆଗରୁ କେବେ କାହାକୁ ଦେଖିନି;
ପ୍ରାନ୍ତ କୈଶୋରରୁ ଆଦ୍ୟ ଯୌବନ ଭିତରେ..
ସଂଯମତାର ନୂଆଗଢ଼ା ପଥର ବନ୍ଧଟି--
କେତେଥର ଭାଙ୍ଗୁ ଭାଙ୍ଗୁ ରହି ଯାଇଛି
ଅନେକ 'ସେଇ ଜଣେ'ଙ୍କୁ ଉପେକ୍ଷା କରି..
ଅପେକ୍ଷା-ଉପେକ୍ଷାର ଧାଁଧପଡ଼ ଭିତରେ
ପ୍ରତି ଥର ଝୁଣ୍ଟି ପଡ଼ିଲା ବେଳେ 'ସେଇ ଜଣେ'ର
'ଆଃ' ଟିକେର ପ୍ରେମରେ ପଡ଼ିଛି ଥରକୁ ଥର
ଜାଣି ପଡ଼ିବାର ନିଆରା ଝୁଙ୍କରେ।
'ସେଇ ଜଣେ' ପାଇଁ ତ ପୁନେଇଁର ଚକା ଜହ୍ନ,
ଅମାସିଆର କାଳି ଅନ୍ଧାରରେ--
ବେହିସାଵ ଘୁରିଛି
ଅଣ ଓସାରିଆ ଗାଁ ଦାଣ୍ଡ,ନଦୀକୂଳ
ସହରର ବସଷ୍ଟାଣ୍ଡ, ଗଳିକନ୍ଦି, ପାର୍କରେ
ଦିନ ଦିନ ରାତି ରାତି--
ଖରା, ବର୍ଷା, ଶୀତରେ..ମତୁଆଲା ମଜନୁ ଭଳି
ଅଜଣା, ନଥିବା ଠିକଣାକୁ ଖୋଜି ।
ମୋ ଭାବିବା ନ ଭାବିବାର ଘୁର୍ଣ୍ଣିବଳୟ ଭିତରେ
ନିଜକୁ ଖଣ୍ଡିଆଭୂତଟେ କରି ହଜିଛି,
ପର୍ଯ୍ୟାୟ ପରେ ପର୍ଯ୍ୟାୟ,
ପୃଷ୍ଠା ପରେ ପୃଷ୍ଠା--ଲେଉଟାଇ ଜୀବନରୁ,
ଗୋଟି ଗୋଟି କରି ଅଲଗା କରିଛି,
ଭିଡ଼ ଭିତରୁ ଅନେକ 'ସେଇ ଜଣେ' ମାନଙ୍କୁ--
କ୍ଷୀର-ନୀର ଅଲଗା ଅଲଗା କରି,
ବେଜୁବାନ କିନ୍ତୁ ଚଞ୍ଚଳ ହଂସ ଟିଏ ପରି।
ତଥାପି କିନ୍ତୁ
ଅବଶୋଷର କ୍ଳାନ୍ତ ଗୋଧୂଳିରେ,
ନପାଇବାର ହତାଶିଆ ଦୀର୍ଘଶ୍ବାସରେ--
ନିଜେ ଜମେଇ ଥିବା ଅନେକ
'ସେଇ ଜଣେ'ମାନଙ୍କର ଭିଡ଼ ଭିତରେ
ଚୁପଚାପ ଖୋଜୁଛି କେବଳ ସେଇ ଜଣକୁ----
ଯାହାକୁ ମୁଁ ଖୋଜି ଆସୁଛି
ଜନ୍ମ ପରେ ଜନ୍ମ, ଯୁଗ ପରେ ଯୁଗ..
ବାରମ୍ବାର ଜନ୍ମ ନେଇ ।।
ଫ୍ରାନସିସ ଶତପଥୀ