ଅନାବନା କବିତା - ୧୬
ଅନାବନା କବିତା - ୧୬
ମୋ ମା ମୋ କବିତାଲେଖାର ଗୁରୁ
ଶ୍ରୀଅକ୍ଷର ବିବର୍ଜିତ।
ଗୀତ ଗାଏନି କି ଲୋରୀ।
ସେ ଓଦା ଶାଢି ଶୁଖାଏ
ଲୁଣକାଠୁଆର ପାଣିକୁ
ଅଣେଇ ଗଡେଇଦିଏ
ବେକରେ କାନିଗୁଡେଇ
ଅଧିଆ ପଡେ।
ଚୁଲୀ ଉପରେ
ଗରମ ତେଲ କରେଇ
ହଳଦୀ, ଲୁଣ ଗୋଳା
କଉମାଛ ଛଟପଟ ହେଲାବେଳେ
ସେ ମୁହଁ ବୁଲେଇଆଣେ।
ଓଃ - ବୋଲି କୁହେ।
ପୋଷା ବିଲେଇ ଆଗରେ
ରଖେ ଭାତଗୁଣ୍ଡା,
ଡିବିରି ଆଲୁଅରେ ଷୋଳକୋଠୀ
ପଦ୍ମ ଆଙ୍କେ
ବଡି ଭୋରରୁ
ଗନ୍ଧାହଳଦୀ ତା ଦେହ ବାସୁଥାଏ।
ମା ସାପ ମାରେନା
ଅସରପା, ଛାରପୋକ, ମୂଷା ମାରେନା
ମୁହଁ ବୁଲେଇ କୁହେ ଓଃ।
କିଛି ବି ଗପ କହେନି
ନା ପୁରାଣ ନା ସ୍ବାଧୀନତା ସଂଗ୍ରାମ
ମୋ ପିଠିରେ କାନି ପକାଏ
ମଶା ଘଉଡାଏ
କେବେ ମନକୁ ମନ କାନ୍ଦେ
ତୁନି ହୁଏ ଶୋଇଯାଏ।
ମୁଁ ତା ଥନରେ ମୁହଁ ପୋତେ
ଆଃ। ନବଦୁର୍ବାଦଳ, ଭିଜାମାଟି
ନୀଳ ଆକାଶର ବାସ୍ନା ସେଠି।
ମୁଁ ବିମୋହିତ ହୁଏ
ଉଠେ, ବସେ
ମା କେଉଁଠି ଯେ
ସେଠି ତ କବିତା ଶୋଇଛି!!
ଅନୀଲ କୁମାର ପାଢୀ