ମାଆ
ମାଆ
ଓଠ ଖୋଲୁ ଖୋଲୁ ଆପେ ଝରିଯାଏ
ସୁନ୍ଦର ଶବ୍ଦଟେ ମା'
ଉଚ୍ଚାରଣ ହୁଏ ସାଥେ ସାଥେ ତାର
ଆଉ ଏକ ଶବ୍ଦ ଆ !
ମାଆ ବୋଲି ଥରେ ଡାକିଦେଲେ ପରା
ମିଳଇ ସକଳ ସୁଖ
ଅବିଳମ୍ବେ ପାଶେ ଧାଇଁ ସିଏ ଆସେ
ହୋଇ ହସ ହସ ମୁଖ ।
ଶାଢ଼ୀ ପଣତରେ ମୁହଁ ପୋଛି ଦେଇ
କୋଳେଇ ନିଅଇ ଖରେ
ଗାଲେ ଚୁମା ଦେଇ ପ୍ରବୋଧଇ ଆସି
ଅତୀବ ମମତା ଭରେ ।
ଦେହରୁ ଆମର ଧୂଳି ଝାଡି ପୁଣି
ଆଉଁଷି ଦିଏ ସେ ମୁହଁ
କାନ୍ଦୁଥିଲେ ଆମେ ଧନ ଧନ କହି
ପୋଛିଦିଏ ଆଖି ଲୁହ ।
ନୁଖୁରା ବାଳରେ ସଙ୍ଗେ ସଙ୍ଗେ ଆଣି
ଲଗାଇ ଦିଏ ସେ ତେଲ
ଗୁଣୁଗୁଣୁ ହୋଇ ନାନା ବାୟା ଗୀତ
ଗାଇ କରୁଥାଏ ଗେଲ ।
ଉଚିତ ବେଳରେ ଗାଧୋଇ ଆମକୁ
ହେଉଥିବ ବୋଲି ଭୋକ
କୋଳରେ ବସାଇ ଖୁଆଇ ପିଆଇ
ହରିନିଏ ସବୁ ଶୋକ ।
ଲାଳନ ପାଳନ କରି ଯେ ଆମକୁ
ଭୂଇଁରେ କରିଛି ଠିଆ
ଟଳମଳ ହୋଇ ଖସିଗଲେ ପାଦ
ଥରି ଉଠେ ତାର ହିଆ ।
ଜାମାଟେ ପିନ୍ଧାଇ ସଜବାଜ କରି
କଜଳ ଲଗାଇ ଦିଏ
ପିଲାକୁ ତାହାର ଖଳ ଦୃଷ୍ଟି କେବେ
ନପକାଉ ବୋଲି କିଏ ।
ମାଟି ଖେଳୁଖେଳୁ ଛଡାଇ ନିଅଇ
ମୁଠାରୁ ଧୂଳି କି ବାଲି
କେଡେ ଯତନରେ ହାତ ଧରି ଧରି
ଶିଖାଇ ପାରିଛି ଚାଲି ।
ଭଲ ଆଉ ମନ୍ଦ ଚିହ୍ନାଇ ଆମକୁ
ଛୋଟରୁ କରି ସେ ବଡ଼
ଅକ୍ଷର ଚିହ୍ନାଇ ଘୋଷିବା ଶିଖାଇ
ପାଖେ ବସି କହେ ପଢ଼ ।
ମାଆ ଆମ ଶିରେ ହାତ ରଖି ଯେବେ
ଆଶିଷ ଦିଅଇ ଢାଳି
ଜୀବନରେ ଯାହା ବାଧାବିଘ୍ନ ଆସେ
ସହଜରେ ପାରୁ ଟାଳି ।
ମାଆର ଯତନେ ରୋଗ ଶୋକ ଭୁଲି
ଥାଉ ଆମେ ନିରାମୟ
ମାଆର ପଣତେ ଆଶରା ମିଳିଲେ
ନଥାଏ ବି କିଛି ଭୟ ।
ପ୍ରଥମ ଗୁରୁ ସେ ପ୍ରଥମ ଈଶ୍ବର
ଭକ୍ତି ରଖିଥିଲେ ତିଳେ
ସରସ ସୁନ୍ଦର ହୁଅଇ ଜୀବନ
ଶକ୍ତି ନିରବଧି ମିଳେ ।
ପ୍ରସନ୍ନ କୁମାର ମାଦଳା