ଉପତ୍ୟକା ଉପବଲ୍ଲିକା
ଉପତ୍ୟକା ଉପବଲ୍ଲିକା
ରଚନା: ଶ୍ରୀ ରାଜଶେଖର ସି 'ଚିମା'
ପ୍ରାତଃକାଳର ନିଃଶବ୍ଦ କୁହେଳିକା ରୁ ଚାଲିଛି ଶୀତ ଲହର,
ତରୁ ପତ୍ର ଉପରେ ଦିଶୁଛି ମୋତି ବିନ୍ଦୁ ସମ ନିର୍ମଳ ନୀହାର |୧|
ଶୁଭୁଛି ପର୍ବତ ପ୍ରାନ୍ତ ରୁ ତୁମର ଅଲୌକିକ ଆଳାପ,
ତୁମ ପରି ତରଙ୍ଗିତ ତରୁଣୀ ର ଗନ୍ଧର୍ବ ଗାନ ଲାଗେ ପ୍ରଣୟାଳାପ |୨|
କୋଇଲି କାକଳି ପରି ଲାଗୁଛି ତୁମ ମଧୁର ଧ୍ୱନି,
ମଇନା ମଧୁରିମା ପରି ଲାଗୁଛି ତୁମ ରବ ର ପ୍ରତିଧ୍ୱନି |୩|
ସୁବର୍ଣ୍ଣ ସୂର୍ଯ୍ୟକିରଣ ରେ କାନ୍ତିପ୍ରଦ ଦିଶୁଛ ଯେମିତି ଉପତ୍ୟକା ଉପବଲ୍ଲିକା,
ପ୍ରଣୟପୀଡ଼ନ ଦେଉଛ ହୋଇ ଲଳିତ ଲତିକା ର ନବପଲ୍ଲବିତ ନବମଲ୍ଲିକା |୪|
ବହୁ ବେଗ ନାଦ ସହ ବହି ଯାଉଛି ଝରାଝୋର ଝରଣା,
ଇନ୍ଦୁଲୋକ ଇନ୍ଦୁବଲ୍ଲୀ ରୂପ ନେଇ ଦେଉଛ ପ୍ରଣୟସମ୍ଭାଷଣ ର ପ୍ରେରଣା |୫|
ମନମୋହିନୀ ହୋଇ ମାଠିଆ ରେ ଭରି ଭରି ନେଇ ଯାଉଛ ନିର୍ଝର ନୀର,
ଭାବେ ଯେ ତ୍ରିଭଙ୍ଗୀ ଅଙ୍ଗଭଙ୍ଗୀ ପଦ୍ମିନୀ କୋମଳାଙ୍ଗୀ ଚାଲି ଚାଲି ନେଉଛି ପନୀର|୬|
ଭିନ୍ନ ସୁଗନ୍ଧ ଦେଉଛି ତୁମ ପରି ବନଜାତ ବନଫୁଲ ବଣମଲ୍ଲୀ,
ଭୁଲି ଯାଉଛି ମୁଁ ଏବେ ନବଜାତ ମହକୁଥିବା ମନମୋହକ ମଲ୍ଲୀ |୭|
ହରିତ ପୋଷାକ ରେ କାମ୍ୟ କୋମ୍ୟ ହୋଇ ଲାଗୁଛ ହରିତା,
କଳକଳ ନାଦ ରେ ପ୍ରବାହିତ ନଦୀ ହୋଇ ଲାଗୁଛ ସରିତା |୮|
ସବୁଜବନ ସଦ୍ୟୋଜାତ ସମୀର ରୁ ପରିବେଶ ରେ ବ୍ୟାପିଲା ସୁବାସ,
ଏହି ନିର୍ଜନ ପ୍ରଦେଶେ ବାରମ୍ବାର ଦେଖିବାକୁ ଚାହୁଁଛି ତୁମ ମୃଦୁଳ ମୃଦୁହାସ |୯|
ଏହି ପାହାଡ଼ ପାଷାଣ ମଧ୍ୟେ ମୋ ପ୍ରେମକଥା ନ ହୋଉ ଲୁପ୍ତ ବିଲୁପ୍ତ,
ପରସ୍ପରଙ୍କ ମନ ଦେଇ ନେଇ ମୋ ଅନୁରାଗ କୁ ନିଜ ମାନସ ରେ କର ଲିପ୍ତ |୧୦|
କେତେ ଅମୁଲ୍ୟ ଅଦମ୍ୟ ଲାଗୁଛି ଯେ ଯୌବନ ଜୀବନ,
ପ୍ରଣୟିନୀ ଜୀବନଦାୟିନୀ ହୋଇ ମୋ ସହ ରୁହ ଆଜୀବନ |୧୧|
ଉପତ୍ୟକା ଉପବଲ୍ଲିକା ପରି ତୁମର ରହିବ ପ୍ରଦେଶ ପ୍ରତି ଲାଳସା,
ଆମ ଜାଗା ରେ କାଳିଆ ହେଲେ ସମସ୍ତଙ୍କ ସହ ଭରସା |୧୨|
ତୁମ ପ୍ରତି ସର୍ବଦା ରହିବ ମୋ ପ୍ରୀତି ସୁମତି,
ଅଗ୍ନିସାକ୍ଷୀ ରେ ମୋ ସତୀ ହେବାର ଦିଅ ସମ୍ମତି ଅନୁମତି |୧୩|