ଗରିବ ଖାତାରୁ ନାଆଁଟି କଟିବ
ଗରିବ ଖାତାରୁ ନାଆଁଟି କଟିବ
ଗରିବ ଖାତାରୁ ନାଆଁଟି କଟିବ
ପର୍ଶୁରାମ ବିଶ୍ୱାଳ
ତୋ ମହାପ୍ରସାଦ ହାତରେ ମୁଁ ଧରି କହୁଚି ସତଟି ଆଜି
ଓଡ଼ିଶା ଗରିବ କାରଣର ନିରାକରଣ ପାଇଚି ଖୋଜି
କେତେ ସତ କେତେ ମିଛ ସେ କାଳିଆ
ପାରିବୁ ତୁ ନିଶ୍ଚେ ବୁଝି ।
କୋଡ଼ିଏ ବରଷ ଆଗ ତୁଳନାରେ ରୋଜଗାର ଏଠି ଢେର
ପାଞ୍ଚଟି କମେଇ, ପଚିଶି ଖରଚ କରେ ଆଜି ପୁଅ ତୋର
କି ହେବ ତାହାର ସଞ୍ଚୟଟି ପ୍ରଭୁ
କି ବଢ଼ିବ ରାଜ୍ୟ ପୁଞ୍ଜି ?
ସମାଜର ନାଲିଆଖିକି ତା ଡର, ଚଳଣି ସୁଅରେ ଭାସି
ବଡ଼ଲୋକ ବଡ଼ ଖରଚ ପ୍ରଭାବ ପକେଇଚି ତାକୁ ଗ୍ରାସି
ତା ଅଜ୍ଞତା ପାଇଁ ପ୍ରଗତି ଆଲୁଅ
ଜଳୁଚିରେ ମିଞ୍ଜିମିଞ୍ଜି ।
ଗରିବ ବୋଲିକି ହାତେଇପାରୁଚି ସବୁ ସର୍କାରୀ ସୁବିଧା
ଏଣେ ଅପବ୍ୟୟ କରି ବରବାଦ, ନାହିଁ ସେ ଆଇନି ବାଧା
ଗରିବ ବି ହେଉ ଖାତିରି ଦେଖେଇ
ବଞ୍ଚିବ ଏଠି ତା ମଞ୍ଜି ।
କହିଦେ କାଳିଆ ସଚେତନ ନୁହେଁ, ଆଜି ସେ ଆଇନି ଲୋଡ଼ା
ସର୍କାରୀ ସୁବିଧା କାଟୁ ସେ ଗରିବ ଯେ’ କରେ ଖର୍ଚ୍ଚ ଆଖଡ଼ା
ତେବେରେ ଦେଖିବୁ ବଢ଼ିବ ସଞ୍ଚୟ
ତୋ ପୁଅ ମାରିବ ବାଜି ।
ଗରିବ ଖାତାରୁ ତା ନାଆଁ କଟିବ, ଏକଥା ଜାଣିବୁ ଥୟ
ଯେବେ ରୋକାଯିବ ଆଇନି ବଳରେ ଯେତେ ଯାହା ଅପବ୍ୟୟ
ଏଇ କଥା ଗୋଟି ବୁଝେଇ ସର୍କାର
ଦେଏରେ ତୋ ବୁଦ୍ଧି ଖଞ୍ଜି ।
ଗ୍ରା.-ମିତ୍ରସେନପୁର, ପୋ.ଅ.-ଗମୁଁ
ଭା.-ଇନ୍ଦୁପୁର, ଜି.-ଯାଜପୁର, ପିନ୍-୭୫୪୨୧୪
ଫୋନ୍-୯୮୫୩୭୫୯୭୦୦
*****