ପୁରୁଷୋତ୍ତମ ଦେବ (ଭାଗ - ୧୫)
ପୁରୁଷୋତ୍ତମ ଦେବ (ଭାଗ - ୧୫)
(ଐତିହାସିକ କାବ୍ୟାଂଶ)
ଭାଳୁଛନ୍ତି ଜେମା "କି କଲୁ ବିଧାତା !
କେଡେ ନିର୍ଦ୍ଦୟ ହୋଇଲୁ !
ତୃଷିତ ଆଗରେ ଗଂଗାଜଳ ପାତ୍ର
ଦେଖାଇ ତଳେ ଢାଳିଲୁ।
କ୍ଷୁଧାତୁର ଆଗେ ସରପୂଳି ଥୋଇ
ଫିଙ୍ଗିଲୁ ଧୂଳି ତହିଁରେ,
ଅମୃତ ପାତ୍ରକୁ ମୃତ ପାଇଁ ଆଣି
ବିଷ ଢାଳିଲୁ ପାତ୍ରରେ।
କିପରି ବଞ୍ଚିବି ପ୍ରାଣପ୍ରିୟ ବିନା;
ଏ ଦେହ ମନ,ଚୈତନ୍ୟ-
ସମର୍ପି ଦେଇଛି ତାଙ୍କ ପାଦତଳେ,
ରହିଛି ମାତ୍ର ଜୀବନ।
ଅନ୍ୟ କାହା ଥାଳେ ଦେଇ ପାରିବି କି
ପୂଜାଫୁଲ ମୋ ପ୍ରୀତିର?
ଦେହ ମୋ କାଂଚୀରେ,ମନ ଉତ୍କଳରେ
ପ୍ରଭୁପାଦେ ଧ୍ୟାନ ମୋର।
ଏ ଜନ୍ମରେ ଯେବେ ନପାଇବି ତାଙ୍କୁ
ଅଗ୍ନିରେ ତନୂ ଝାସିବି,
ଜନ୍ମ-ଜନ୍ମାନ୍ତରେ ପୁରୁଷୋତ୍ତମଙ୍କୁ
ପାଇବାକୁ ମନାସିବି।"
ଝିଅକୁ ବୁଝାଇ କହୁଛନ୍ତି ରାଣୀ
" କାନ୍ଦନା ମୋ ସୁନାପରୀ,
ରାଜକନ୍ୟା ଭାଗ୍ୟ ଏହିପରି ସିନା
ସୁଅରେ ପତରପରି।
କେତେବେଳେ ଯୁଦ୍ଧ ଜିଣି, ବଳାତ୍କାରେ
ହରି ନିଏ କେଉଁ ରାଜା,
ରାଣୀଅନ୍ତପୁରେ ବହୁ ରାଣୀ ମେଳେ
ମିଳେ ମୃତ୍ୟୁସମ ସଜା।
ରାଜକନ୍ୟା ହୋଇ ସ୍ୱପ୍ନ ଦେଖିବାକୁ
ମନା ଲୋ ସୁନାକଣ୍ଢେଇ,
ଭଲପାଇବାଟା ଏଠି ଅପରାଧ
ମନ କେହି ବୁଝେନାହିଁ।
ପ୍ରିତି ବାଲିଘର ଯାହା ଗଢିଥିଲୁ
କଳ୍ପନାର ନଦୀତୀରେ,
ଅବାସ୍ତବ ଭାଳି ଭାଙ୍ଗିଦେ ଧନ ଲୋ
ଧୋଇଯାଉ ନଦୀନୀରେ।
କାବେରୀ ବାଲିରେ ଘୋଡାଚଢି ଦିନେ
ଆସିଥିଲେ ଯୁବରାଜ,
ଭାବିଦେ ଲୋ ଧନ, ସେହି ଘୋଡାଥିଲା
କଳ୍ପନାର ପକ୍ଷୀରାଜ।
ମାଆକୋଳେ ମୁଣ୍ଡ ଗୁଂଜି ରୂପାମ୍ବିକା
କହିଲେ "ଜାଣୁ ତ ମାଆ,
କହିବା ସହଜ ସିନା ଲୋ ଜନନୀ,
ସହିବା କି କଷ୍ଟ ତାହା !"
ବୋଇଲେ ଜନନୀ "ଜନମ ସିନା ମୁଁ
ଦେଇଛି ତୋତେ ଲୋ ଧନ,
କର୍ମ ଦେଇଛନ୍ତି ଯେଉଁ ଜଗନ୍ନାଥ
କର ତୁ ତାଙ୍କୁ ଜଣାଣ।
ସେ ଯେବେ ଚାହିଁବେ, ପିତା କି କରିବେ,
କି କରିବେ ଆନ ଜନ ?
ଠାକୁର ରାଜାଙ୍କ ରାଣୀ ହୋଇ ପ୍ରଭୁ-
ସେବାରେ ହେବୁ ମଗନ।"
ଜନନୀଙ୍କ ବାଣୀ ଶୁଣି ରାଜଜେମା
ଡାକିଲେ "ଜଗତ ସାଇଁ !
ଭାସିଯାଉଅଛି ନିରାଶ ଜଳରେ,
ରକ୍ଷାକର ଭାବଗ୍ରାହୀ।
ତୁମ୍ଭର ଆଦେଶ ନହେଲେ ଦେବେଶ
ପବନ ଚଳଇନାହିଁ,
ତୁମ୍ଭ ଆଜ୍ଞା ବିନା ଅଂଶୁମାଳୀ ରଥ
ତୀଳେମାତ୍ର ନଘୁଞ୍ଚଇ।
ଆକାଶରେ ତାରା ଫୁଟେନାହିଁ,ଜହ୍ନ-
ହୁଏନାହିଁ ଆତଜାତ,
ତୁମ୍ଭ ଆଜ୍ଞାଧୀନ ଅଖିଳ ବ୍ରହ୍ମାଣ୍ଡ
ଜୟ ଜୟ ଜଗନ୍ନାଥ ।
ତୁମ୍ଭରି ଆଦେଶ ଘେନି ପାରାବାର,
ଲଂଘେନାହିଁ ନିଜ କୂଳ,
ତୁମ୍ଭରି ନିର୍ଦ୍ଦେଶ ମାନି କକ୍ଷପଥେ
ରହିଥାନ୍ତି ଗ୍ରହକୁଳ।
ଫୁଲରେ ସୁବାସ ଦେଇଅଛ ତୁମ୍ଭେ
ପକ୍ଷୀକଣ୍ଠରେ ସଂଗୀତ,
ତୁମ୍ଭ ଆଜ୍ଞାଧୀନ ଅଖିଳ ବ୍ରହ୍ମାଣ୍ଡ
ଜୟ ଜୟ ଜଗନ୍ନାଥ ।
ହଳଦିବସନ୍ତ ହଳଦିଆକରି ଆଙ୍କିଛ
ତୁମ୍ଭ ତୂଳିରେ,
କୋଇଲି କଣ୍ଠରେ ସଂଗୀତ ଦେଇଛ
କଳା ଦେଇଛ ଦେହରେ।
ତୁମ୍ଭ ନିର୍ଦ୍ଦେଶରେ ଭିନ୍ନ ଭିନ୍ନ ରଙ୍ଗେ
ନଭ ହୁଏ ପ୍ରତିଭାତ,
ତୁମ୍ଭ ଆଜ୍ଞାଧୀନ ଅଖିଳ ବ୍ରହ୍ମାଣ୍ଡ,
ଜୟ ଜୟ ଜଗନ୍ନାଥ ।----
କ୍ରମଶଃ-----