Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binaya Bhusan Panigrahi

Others

2  

Binaya Bhusan Panigrahi

Others

ଖୋଜନାହିଁ ଶବ୍ଦ

ଖୋଜନାହିଁ ଶବ୍ଦ

1 min
3.6K



ଖୋଜନାହିଁ କବି ଶବ୍ଦକୋଷରୁ

ପୁଳାଏ ଶବ୍ଦ କବିତା ଲେଖିବା ପାଇଁ।

ସେଇସବୁ ଶବ୍ଦ ଶୁଣିବାକୁ ଭଲ,

କହିବାକୁ ଭଲ,ଭଲ ଦେଖିବାକୁ

ଯୋଡିଲେ ସେସବୁ ଗୋଟିଗୋଟି କରି

ଶବ୍ଦର ପର୍ବତ ସୃଷ୍ଟି ହେବ ସିନା

ମୋତେ ଲାଗୁନାହିଁ କବିତା ହେବ ସେ

ପଙ୍ଗୁ ପାଦରେ ଶକ୍ତି ଭରିବାକୁ

ପର୍ବତ ଲଙ୍ଘିବା ପାଇଁ।


ଶବ୍ଦ ସମାହାର କବିତା ନୁହଁଇ

କହୁନାହିଁ ଯଦି ସରଳ ଶବ୍ଦରେ

ଗଛଲତା, ମାଟି,ପାଣିପବନର କଥା।

ନଦେଇ ପାରିଲେ ଇଟାର ଜବାବ

ପଥର ଖଣ୍ଡରେ ଖଣ୍ଡିତ କରି

ଶୋଷଣକାରୀର ମଥା।


କୁହ କୁହ କବି, କବିତା କି ସିଏ,

ବଖାଣୁନି ଯଦି ଲଣ୍ଡା ପର୍ବତର

ବେଦନା ସିକ୍ତ ଭାବନା ସମୂହ,

ମୁକ-ବଧିରର ଛାତି ତଳ ନୀରବତା।

ସିଏ କି କବିତା ପ୍ରତି ଶବ୍ଦ ଯା'ର

ତୋଳି ପାରେନାହିଁ ରେଖାଚିତ୍ରଟିଏ

ଦାଦନ ଦୁଃଖର, ଗୋତି ଶ୍ରମିକ ଓ

ବାଳ ଶ୍ରମିକର ଅନ୍ତର ତଳ ବ୍ୟଥା !!

ପେଟପାଇଁ ମୁଠେ ଦାନା ବଦଳରେ

ବିକିଦେଇ ପୁଅ ଟଙ୍କା କେଇଟାରେ

ଭାତ ମୁଠା ନେଇ ପାଟିରେ ନଦେଇ

ତା ଉପରେ ଲୁହ ଢାଳିଦେଲା ବେଳେ

ନ ଫୁଟିଲା ଯଦି କବିତା ପଂକ୍ତିରେ

ବିବଶ ସେଇ ମାତୃତ୍ୱ ର ହାହାକାର !!


କବିତା କି ସିଏ ପଢିଲେ ଯାହାକୁ

ପଥ ହୁଡ଼ିଥିବା ପୁଅ ନ ହେଜିଲା

ପଥଭ୍ରଷ୍ଟ ହେଇ,ହୀନସ୍ୱାର୍ଥ ପାଇଁ

ଘରୁ ତଡିଥିବା ବାପା-ମାଆ ତା'ର

ଶ୍ରେଷ୍ଠ ସମ୍ପଦ-ଜୀବନ୍ତ ଈଶ୍ୱର

ବାସ ନୁହେଁ ତାଙ୍କ କେଉଁ ଜରାଶ୍ରମ

ସ୍ଥାନ ତାଙ୍କ ହୃଦୟରେ !!


ଖୋଜନାହିଁ କବି,ଖୋଜନା ଶବ୍ଦ,

ଶବ୍ଦକୋଷର ସମୃଦ୍ଧ ସହରେ

ଆଙ୍କିବା ପାଇଁ ରେଖାଚିତ୍ର କିଛି

ଲକ୍ଷ ଯାହାର ବଖାଣିବା ପାଇଁ

ସରଳ-ନିଷ୍ପାପ ମଣିଷର କଥା

କଥାରେ ଭାଷାରେ ଅବା କବିତାରେ।

ଅନ୍ତର ଭିତରେ ଆତଯାତ ସେଇ

ଅତି ପରିଚିତ ସୀମିତ ଶବ୍ଦରେ

ଲେଖିଯାଅ ଖାଲି ଲେଖି ଚାଲ କବି

ଅଶେଷ କବିତା, ଗୋଟିଗୋଟି କରି

ପ୍ରତିଟି ପ୍ରାଣର।।

-----------©----------

ବିନୟ ଭୂଷଣ ପାଣିଗ୍ରାହୀ(ମିଟୁ)

ହରସିଂହ ପୁର,ପିରହାଟ ବଜାର,

ଭଦ୍ରକ-୭୫୬୧୩୧,ଓଡିଶା

ଦୁରଭାସ କ୍ରମାଙ୍କ:୯୯୩୭୫୪୮୪୩୧

------ବାସସ୍ଥାନର ଠିକଣା-----

ପ୍ଲଟ ନଂ-୩୪୨,ସେକ୍ଟର-୫

ନୀଳାଦ୍ରି ବିହାର,ଭୁବନେଶ୍ୱର-୨୧


Rate this content
Log in