ଶାଶ୍ୱତ ପ୍ରେମ
ଶାଶ୍ୱତ ପ୍ରେମ
ପ୍ରେମ ତ ପ୍ରେମ,ସେ ବହୁ ସ୍ୱରୂପିଣୀ
ଶାଶ୍ୱତ ପ୍ରେମ ହିଁ ଶ୍ରେଷ୍ଠ ।
ଏ ପ୍ରେମ ଦିଅଇ ସ୍ଵର୍ଗୀୟ ସ୍ବୀକୃତି
ଦୈବୀ ପ୍ରୀତିରେ ପ୍ରତିଷ୍ଠ ।
ସେ ପ୍ରେମେ ନ ଥାଏ ଛନ୍ଦ ବା ଛଳନା,
ଲାଂଛନା କି ପ୍ରତାରଣା ।
ଅମୃତ ଝର ସେ ପୀୟୂଷ ଧାର ସେ
ବିଶ୍ୱାସର ଧୂଳି କଣା ।
ଶାଶ୍ୱତ ପ୍ରେମରେ ସ୍ୱର୍ଗ ଜିଣି ହୁଏ
ମର୍ତ୍ତ୍ୟକୁ କିଏ ପଚାରେ !
ଚିରନ୍ତନ, ଶୁଦ୍ଧ ସତ୍ୟନିଷ୍ଠ ହୋଇ
ପ୍ରେମିକ ପ୍ରଣୟେ ଝରେ ।
ବେଦ ବେଦାନ୍ତରେ ଶାଶ୍ଵତ ପ୍ରେମର
ଅଛି କେତେ ଉପାଖ୍ୟାନ ।
ମଣିଷ କାହିଁକି, ଦେବତାମାନେ ବି
ସ୍ବୀକୃତିଛନ୍ତି ଏ ପ୍ରେମ ।
ପ୍ରେମ ହିଁ ଭକତି, ଭକତି ହିଁ ପ୍ରେମ
ଆତ୍ମିକ ଭାବରେ ଏକ ।
ଏକଲବ୍ୟ,ଧ୍ରୁବ, ବାଲ୍ୟ ପ୍ରହଲ୍ଲାଦ
ଭକ୍ତି ପ୍ରେମେ ପରିକଳ୍ପ ।
ଶିଶୁ ଶାବକର ହୃଦୟରୁ ଝରେ
ଅନନ୍ତ ଶାଶ୍ୱତ ପ୍ରେମ ।
ସେ ପ୍ରେମେ ନଥାଏ ପାପର ପ୍ରଲେପ
ଥାଏ ନିଷ୍କପଟ ଭ୍ରୁଣ ।
ଶିଶୁ ର ହୃଦୟ ପୁଣ୍ୟ ପ୍ରୀତି ମୟ
ଈଶ୍ୱରଙ୍କ ପ୍ରତିରୂପ ।
ଜୀବନ୍ତ ଠାକୁର, ପବିତ୍ର ମନ୍ଦିର
ଶାଶ୍ୱତ ପ୍ରେମ ସ୍ୱରୂପ ।