ହୋଇ ପାରିଲିନି ପଲାତକ
ହୋଇ ପାରିଲିନି ପଲାତକ
ତୁମେ ସିନା ଛାଡିଗଲ ଏ ଘର ସଂସାର ।
ପଦାଘାତ କରିଗଲ ପିତୃଦତ୍ତ ରାଜ ସିଂହାସନ ।।
ତୁମ ପାଶେ କେହି ହେଲେ ନାହିଁ ମୁଲ୍ୟବାନ ।
ମାତା ପିତା ରାଜପଦ ପତ୍ନୀ ବା ସନ୍ତାନ ।।
ମୁଁ କିନ୍ତୁ ହୋଇ ପାରିଲିନି ତୁମ ପରି ପଳାତକ ।
କାରଣ ମୋ କୋଳେ ଥିଲା ଅଜ୍ଞାନ ବାଳକ ।।
ଯା’ର ଆଗମନ ପାଇଁ ମୁଁ ଥିଲି ଦାୟୀ ତୁମେ ବି ତ ଥିଲ ।
ତୁମେ ତେଜି ଦେଇ କିନ୍ତୁ ସବୁ କିଛି ନିଶ୍ଚିନ୍ତେ ରହିଲ ।।
କେତେ ସହଜ ଥିଲା ସତେ ତୁମ ପାଇଁ ଏପରି ଚାଲିଯିବା ।
ମୁଁ କିନ୍ତୁ ଧିରେ ଧିରେ ଶିଖିଗଲି ନିର୍ଜନତା ଭିତରେ ବଂଚିବା ।।
ତୁମ ମୋ ଭିତରେ ଥିଲା ଅନେକ ଅନେକ ପାର୍ଥକ୍ୟ ।
ମୁହଁ ଫେରାଇ ନେଇ, ତୁମେ ହେଲ ପଳାତକ, କିନ୍ତୁ ମୁଁ ହେଲି ରକ୍ଷକ ।।
ଶିଶୁ ସନ୍ତାନର ନାଲି ଓଠ ଆଉ କଥା କୁହା ଆଖିର ଚାଞ୍ଚଲ୍ୟ ।
ରୋକି ନେଲା ପଥ ମୋର, ରୋକି ନେଲା ମୋ ମନ ଉଚ୍ଛାସ ।।
ରାଜ କନ୍ୟା, ରାଜ ବଧୂ ମୁଁ, ଢାଳି ପାରେ ନାହିଁ ଲୁହ ଅନ୍ୟ ନାରୀ ପରି ।
ମର୍ଯ୍ୟଦାର ବେଡି ପାଦେ, ସମାଜର ସୀମାରେଖା ଅତିକ୍ରାନ୍ତ ନପାରିବି କରି
ତେଣୁ ନିଜ ଭିତରର ଶୂନ୍ୟତାର ବଳୟରେ ମୁଁ ହେଲି ବନ୍ଦିନୀ ।।
କିନ୍ତୁ ଲୋକେ ଭାବୁଥିଲେ ଭାଗ୍ୟବତୀ କେତେ ସତେ ମୁଁ ରାଜ ନନ୍ଦିନୀ ।