ଶୂନ୍ୟ ଆତଙ୍କ
ଶୂନ୍ୟ ଆତଙ୍କ
ସେ ଯେଉଁ କଳଙ୍କ ଆସିଲା ଜୀବନେ
ଜାନ୍ତବ କ୍ଷୁଧା ଧରି,
ଉଜାଡି ଦେଲା ମୋ ସଜଡା ଅଙ୍ଗନ
ଅଶ୍ରୁ ଅନଳ ଭରି ।।
କାହିଁ ଚାଲିଗଲା ଭସା ମେଘ ପରି
ଘଡିଏ ଦି' ଘଡି ରହି ,
ମିଛ ଏ କଳଙ୍କ ଶୂନ୍ୟ ଆତଙ୍କ
ବିନାଶ ତାହାର ନାହିଁ ।।
କେବେ ସେ କଳଙ୍କ ମଥାର ତିଳକ
କେବେ ସେ ଚରଣ ଧୁଳି,
କେବେ ତା' ଦାହରେ ଭସ୍ମ ପାଲଟେ
ଏ ହୃଦୟ ଯାଇ ଜଳି ।।
କେବେ ସେ କଳଙ୍କ ଓଗାଳେ ମୋ ପଥ
ବିସ୍ତାରି ବିଶାଳ କାୟା,
ବିପୁଳାଚ ମୋର ବକ୍ଷ ବିଦାରେ
ତାଣ୍ଡବ ତାର କ୍ରିୟା ।।
କେବେ ସେ ପ୍ରିୟାର ପ୍ରଣୟ ପଣତ
ଅଭୟ ଅଙ୍ଗ ବସ୍ତ୍ର ,
ମୁଗ୍ଧ ହୁଏ ମୁଁ ତା ' ଛନ୍ଦ ବନ୍ଧନେ
ଆହା ! କି' ସ୍ନିଗ୍ଧ ପୂତ ।।
ଅକାଳେ ସକାଳେ ଯେବେ ସେ କଳଙ୍କ
ଚାଲି ଆସେ ପଥ ଭୂଲି ,
ଚନ୍ଦନ କସ୍ତୁରି ବାସ ପରି ତାକୁ
ଦେହରେ ହୁଏ ମୁଁ ବୋଳି ।।
ଭକ୍ତ ଚରଣ ମଲ୍ଲ
15th November 2017.