ବିକଳାଙ୍ଗ ଖଟିଖଟି
ବିକଳାଙ୍ଗ ଖଟିଖଟି
Prompt- 5
କ୍ଷୁଧା ଜର୍ଜରିତ ମୋର ଏ ଉଦର
ନ ପାଏ ଦାନା ମୁଠାଏ ,
ନାଳନର୍ଦ୍ଦମାଠୁ ମଶାଣି ଯାଏ ତ
ଖୋଜେ ଖୁଦ କଣିକାଏ ।
ଶୈଶବରୁ ଶବ ପାଲଟି ଯାଇଛି
ଉଦର ଯନ୍ତ୍ରଣା ପାଇଁ,
ମାଟି ସଙ୍ଗେ ମାଟି ନିଆଁରେ ଅଙ୍ଗାର
କୁଟୁମ୍ବ ନିମିତ୍ତ ହୋଇ।
ତଥାପି କାହିଁକି ଉଦର ପୁରେନି
ସଦା ହାହାକାର ହୁଏ,
ସଭିଙ୍କ ମୁହଁରେ ଦାନା ଗଣ୍ଡେ ପାଇଁ
ଦାଦନ ମୁଁ ଖଟୁ ଥାଏ।
ଗରବେ କହେ ମୁଁ ଓଡ଼ିଶାର ପୁଅ
ଭାରତ ମୋର ଜନନୀ,
ପୂର୍ଣ୍ଣଗର୍ଭା ସିଏ ସବୁ ତ ପୁରିଛି
ଏପରି ନାହିଁ ଧରଣୀ।
ମୁହଁ ଲୁଚାଇ ମୁଁ ନିର୍ଜନ ନିଶିରେ
କାନ୍ଦୁଥାଏ କଇଁ କଇଁ,
ପରର ଗୋଲାମୀ କରି ଭୁଲିଯାଏ
ଆତ୍ମୀୟ ସ୍ଵଜନ ମୁହିଁ।
ହାୟରେ ଦଇବ କି ଦେଖି ପାରୁନ
ମୁଁ ବିକଳାଙ୍ଗ ଖଟିଖଟି,
ହାତଗୋଡ଼ ଜଳି ଅଙ୍ଗାର ହେଲାଣି
ନିସ୍ତାର ନାହିଁ ଯେ ଏଥି।
ଖଟୁଛି ଖୋଜୁଛି ଯୋଗାଉଥିବି ମୁଁ
ସ୍ଵଜନ ମୁଖେ ଆହାର,
ପିଣ୍ଡରୁ ପରାଣ ନ ଛାଡିବା ଯାଏ
ଖଟୁଥିବ ଏ ଶରୀର।
ପ୍ରଣତି ମହାପାତ୍ର
ବାଲେଶ୍ଵର