ହେ ବନ୍ଧୁ,ମୁଁ ଅର୍ଜୁନ
ହେ ବନ୍ଧୁ,ମୁଁ ଅର୍ଜୁନ
ହେ ମୋର ପ୍ରିୟ ସଖା,
କୁରୁକ୍ଷେତ୍ରେ ଦେଇଥିଲ ଯେଉଁ ନୀତିଶିକ୍ଷା
ଆଉଥରେ ଦୋହରାଇ,ମୁକ୍ତିମାର୍ଗର ପନ୍ଥା ଦେଖାଇ
କର ଆଜି ବିପଦରୁ ରକ୍ଷା ॥
ଦିଅ ସେଇ ଦିବ୍ୟଜ୍ଞାନ ,
ଆଉଥରେ ଦେଖା ତୁମ ବିଶ୍ଵରୂପ ହେ, ବ୍ରହ୍ମାଣ୍ଡର କର୍ତ୍ତା
ଆଜିର ଅର୍ଜୁନ ମୁଁ କଳୁଷିତ ପଥ ର ଯାତ୍ରୀ
ଲୋଡ଼ୁଅଛି ଆଉଥରେ ତୁମର ବନ୍ଧୁତା ॥
ଚିହ୍ନ ମତେ ଆଉଥରେ , ମୁଁ ତୁମ ସେଇ ଅର୍ଜୁନ
ଯାହାର ସାରଥୀ ସାଜି , ନାଶକରି ଅସତ୍ୟକୁ
ବଜାଇଲ ସତ୍ୟର ବିଗୁଲ ଆଉ ଗାଇଥିଲ ଧର୍ମର ମଧୁରଗାନ ॥
ବନ୍ଧୁ ହୋଇ ଥିଲ ବୋଲି ଜିତିଥିଲି କୁରୁକ୍ଷେତ୍ରେ ମହା ରଥି ମହାରଥୀ
ତୁମର ସେ ବନ୍ଧୁତ୍ୱ ବଳରେ ଧର୍ମର ଜୟ କରି
ଦେଇଥିଲି ଏଇ ହାତେ କେତେ ପାପୀଙ୍କୁ ମୁଁ ମୁକ୍ତି ॥
ଦ୍ୱାପରରେ ପାଞ୍ଚ ଭାଇ ଥିଲୁ ପରା ତୁମର ଅତି ନିବିଡ
ମନେପକା ଆଉଥରେ , କୁରୁବଂଶ ପାଇଁ ରଚିଥିବା କୌଶଳ
ଆଉ ଦ୍ରୌପଦୀର ଲଜ୍ଜ୍ୟା ନିବାରଣରେ ପ୍ରୟାସ ତୁମର ॥
ବନ୍ଧୁ ହେଇ ଦେଖାଇଲ ଯେଉଁ ମୁକ୍ତି ପଥ
କାଟିଥିଲ ମୋ ସହିତ ଯେତିକି ବି ମୁହୂର୍ତ୍ତ
ସେପାଇଁ ମୋକ୍ଷ ପାଇ ଅନ୍ତରାତ୍ମାରେ ମୋର
ମହାଜ୍ଞାନ ହେଇଥିଲା ଜାତ ॥
ଆଜି ସେଇ ଜ୍ଞାନକୁ ମୁଁ ପାଉନାହିଁ ଖୋଜି
ଅଧର୍ମ , ଅସତ୍ୟେ ତାହା ଯାଇଅଛି ହଜି
ଆଉଥରେ ଆସ ସଖା , ଉଦ୍ଧାର ମତେ ଏ କୁରୁକ୍ଷେତ୍ରରୁ
ଅର୍ଜୁନର ସଖା ହୋଇ , ବନ୍ଧୁତ୍ୱର ଦ୍ୱାହି ଦେଇ
ସାରଥୀ ସାଜି ମୋ ଜୀବନ ରଥକୁ
ଟାଣିନିଅ ଏଇ ନର୍କ ପୁରିରୁ ॥
ଦ୍ୱାପରର ସେଇ ବନ୍ଧୁ ଅର୍ଜୁନ ମୁଁ ତୁମର
ଚିହ୍ନ ମତେ, ଖୋଲି ତୁମ ଦିବ୍ୟ ନୟନ
ମୁଁ ସେଇ ଗାଣ୍ଡିବଧାରୀ ପାର୍ଥ ତୁମର
ସଖା ହେ, ମନେପକା ବନ୍ଧୁତ୍ୱ ଆମର ॥
ରୋଜା ପଣ୍ଡା
ପୂର୍ଣ୍ଣାନନ୍ଦ ଭବନ ,ନେତାଜୀ ନଗର, ମଧୁପାଟଣା