ପଣତ ,ତୁ ପୁଣ୍ୟ ପରମ୍ପରା
ପଣତ ,ତୁ ପୁଣ୍ୟ ପରମ୍ପରା
1 min
209
ପଣତ,ତୁହି ଲୋ ପୁଣ୍ୟ ପରମ୍ପରା
ଆଭିଜାତ୍ୟ, ଅଳଙ୍କାର ।
ବେଦଜନ୍ମା ପ୍ରଥା, ପ୍ରଥିତଯଶା ଲୋ
ନାରୀ ଅଙ୍ଗେ ତୁ ସୁନ୍ଦର ।
ନାରୀ ସୁଲଭତା ମାନ ସଂଭ୍ରମତା
ବିଧିରେ ବଢ଼ାଇ ଥାଉ ।
ଅଙ୍ଗ ତୀର୍ଥେ ତା'ର ଆଭୂଷଣ ହୋଇ
ଝରାଉ ଲାବଣ୍ୟ ମହୁ ।
ଲାଜରେ ନରମୁଁ ନରମି ସରମୁଁ
ମମତାର ମନ୍ଦାକିନୀ ।
ସଂଯମତା ଦେଉ ଶାଳୀନତା ଦେଉ
ଅଭିମାନେ ତୁ ମାନିନୀ ।
ମାଆ ପଣତ ତୁ ଲକ୍ଷେରେ ଗୋଟିଏ
ଶୁଭ୍ର ସତୀ ଶିରୋମଣି ।
ଜନନୀ କୋଳର ସୁଦିବ୍ୟ ସଂକେତ
ପ୍ରୀତିର ପରଶ ମଣି ।
କେତେବେଳେ ଭିଜୁ ଦୁଃଖ ଦରିଆରେ
କେବେ କେବେ ହସୁଥାଉ ।
ଲାସ୍ୟ ମୟୀ ତୁହି ହାସ୍ୟ ମୟୀ ହୋଇ
ହେଉ ମମତାର ଢେଉ ।
ବୋହୂର ମଥାରେ ସାଇତା ସୀତା ତୁ
ଓଢଣୀ ର ରୂପ ନେଇ ।
ସିନ୍ଦୁରର ଶୋଭା ଦ୍ୱିଗୁଣିତ କରୁ
ସଂଭ୍ରମତା ଭରିଦେଇ ।
ଭଗିନୀ ପଣତ ଭାଇ ମନ ମିତ
ଗେଲ୍ହେଇ ସାଜି ତୁ ଉଡୁ ।
କର୍ମରେ ମର୍ମରେ ଛତ୍ର ଛାୟା ହୋଇ
ଭାଇ ପାଇଁ ବନ୍ଧା ପଡୁ ।
ଜାୟା ପଣତ ତୁ ଲକ୍ଷ୍ମୀଙ୍କ ନିବାସ
ଧନ୍ବନ୍ତରୀ ଧୈର୍ଯ୍ୟବତୀ ।
ସବୁ ରୂପରେ ତୁ ମମତା ମନ୍ଦିର
ସଂଭ୍ରମରେ ବୃନ୍ଦାବତୀ ।
ଆର୍ଯ୍ୟ ଭାରତର ନ୍ୟାଯ୍ୟ ଦାବୀଦାର
ଶୌର୍ଯ୍ୟ ବୀର୍ଯ୍ୟ ଜନ୍ମଦାତ୍ରୀ ।
ନାରୀ ଜାତିର ତୁ ସମ୍ମାନ ସନ୍ତକ
ଶକ୍ତି ଶିବା ଜଗଦ୍ଧାତ୍ରୀ ।
ପଣତ,ସତେ ଲୋ କେଡେ ପୁଣ୍ୟତୋୟା
ସମ୍ମାନ, ପୁଣ୍ୟ ମନ୍ଦିର ।
ପ୍ରଣତି ବାଢୁଛି ଵିନମ୍ର ମନରେ
ଶୁଭାଶିଷ ମାଗେ ତୋ'ର ।