ଦେବୀ ମା'
ଦେବୀ ମା'
ଶରତର ଶୋଭା ଅଜାଡି ପଡୁଛି ସବୁଜ ଧରିତ୍ରୀ କୋଳେ
ରୂପେଲୀ ରଜନୀ ହସେ କିରିକିରି ଚାନ୍ଦର ଚାନ୍ଦିନୀ ମେଳେ ।
ପାର୍ବଣ ପଶରା ମହ ମହ ବସେ ଦେବୀ ଆସିଛନ୍ତି ମର୍ତ୍ତେ
ମୃଣ୍ମୟୀ ପ୍ରତିମା ଝଲମଲ ଦିଶେ ଆବିର୍ଭୂତା ଜାତି ସ୍ଵାର୍ଥେ ।।
ଚନ୍ଦନ ଚର୍ଚ୍ଚିତା ମାତା ଦଶଭୂଜା ଅପରୂପା ଆଦ୍ୟାଶକ୍ତି
ଝଲମଲ ଜ୍ୟୋତି କମନୀୟ କାନ୍ତି ବିକଶୁଛି ଦିବ୍ୟ କୀର୍ତ୍ତି ।
ଜଗତ ଜନନୀ ମାତ କାତ୍ୟାୟନୀ ବିରାଜିତା ଧରାଧାମେ
ସିଂହବାହିନୀ ମା’ ମହିଷମର୍ଦ୍ଦିନୀ ଫୁଟାଇଛୁ ହସ ମର୍ମେ ।।
ମାଟିରୁ ଆକାଶ ବ୍ୟାପିଛି ଅନୀତି ମହିଷା ମାନଙ୍କ ମେଳ
ଚଉଦିଗ ଯାହା ପାପର ସାମ୍ରାଜ୍ୟ ରକ୍ତର ହୋଲି ଖେଳ ।
ପୁରାଣ ଯୁଗରେ ମାରିଲୁ ମହିଷା ଅରଜିଲୁ ଯଶ ଖ୍ୟାତି
ଏବେ ବି ମହିଷା ବଂଚିଛି ହୃଦୟେ କରୁଅଛି ଅପକୀର୍ତ୍ତି ।।
ଅଜାଡି ଦିଏ ମା' ଆଶିଷର ଧାରା ହୃଦୟ ହେଉ ତଲ୍ଲୀନ
ତୋ ମନ୍ତ୍ର ମହକ ସ୍ତୁତିର ସ୍ତବକ ଚିରନ୍ତନ ଗରୀୟାନ ।।
ଶରତ କୁମାର ଦାସ
ବଡବିଲ ମହାବିଦ୍ୟାଳୟ, ବଡବିଲ ।