ନିଶବ୍ଦ ନାୟିକା
ନିଶବ୍ଦ ନାୟିକା
ମୋର କ୍ରାନ୍ତିକାରୀ ଶବ୍ଦ ସବୁ
ସେଠି ନିଶ୍ଚଳ ହୁଅନ୍ତି
ମହମ ପରି ତରଳି ଯାଆନ୍ତି
ବିପ୍ଳବର ବହ୍ନି ଜାଳୁଥିବା
ଲେଲିହାନ ଶିଖା,
ଯେଉଁଠି ବି' ତମେ ଥାଅ
ରେସ୍ତାରୋଁ କି' ପାନ ଶାଳା
ସଂଧ୍ୟା ଆସରରେ
ଅବା କେଉଁ ଏକ ପାର୍କର
ନିଭୃତ କୋଣରେ ଏକା ଏକା ।
ଏଠି ସେଠି ସବୁଠି ଗୋ
ତମ କାୟା ବ୍ୟାପ୍ତ ବିଛୁରଣ
ସକାଳର କଅଁଳ କିରଣ ,
ଶିଶିରାକ୍ତ ଦୂର୍ବାଦଳ ଶେଯେ
ତମେ ଆହ୍ଲାଦିନୀ ଶୁଭ୍ର ଆଚ୍ଛାଦନ ।
ସଂଧ୍ୟା ର ଦୀପଶିଖା
ଗୋଧୂଳିର କନକ ବରଣ ,
ତମିସ୍ରାର ନିରନ୍ଧ୍ର ଅନ୍ଧାର ତମେ
ଜୋଛନାର ସ୍ନିଗ୍ଧ ବେହରଣ ।
ଯେଉଁଠି ବି' ଦେଖ
ଶତାବ୍ଦୀ ର ପଛକୁ ବି' ଫେର
ଚୌଦିଗେ ଚାରିଯୁଗେ ନିନାଦିତ
ତମ ଅସ୍ତିତ୍ଵର ସଶବ୍ଦ ଝଙ୍କାର,
ସ୍ରଷ୍ଟା କେଡେ ଅସହାୟ ସତେ !
ତମ ବିନା ସୃଜନ ବି' ଛନ୍ଦ ନାହିଁ ତୋଳେ
ଆଲୋକର ସ୍ଥିତି ପୁରା ଅନୁଜ୍ବଳ
ତମ ବିନା ଢାଙ୍କିଯାଏ ନିଷ୍ପ୍ରଭ ଅନ୍ଧାର
ନିଷ୍ଫଳ ବି' ପ୍ରେମ ଅଭିସାର ।
ତମ ବିନା ନିସ୍ତବ୍ଧ ହୁଏ
ଚଳମାନ ବାୟୁ
ଅଚଞ୍ଚଳ ପ୍ରତିଟି ମୁହୂର୍ତ୍ତ
ମୁହୁମୁର୍ହୁ ଅଟକେ ଛାତିର ସ୍ପନ୍ଦନ,
ଋତୁମତୀ ବସନ୍ତ ବି ବାଟ ଭାଙ୍ଗେ
ଶୁଭେ ନାହିଁ କୋକିଳର ମଧୁମୟ ସ୍ବର ।
ତମେ କି' ମୋ ଶବ୍ଦ ଶଯ୍ୟାର
ନିଶବ୍ଦ ନାୟିକା,
ନିରନ୍ତର ତମ ପ୍ରେମର ବର୍ଷାରେ
ମୁଁ ଭିଜୁ ଥିବା ଓ ତମେ ଭିଜୁ ନଥିବା
ଏକ ନିର୍ଜନ ଇଲାକା ।
ଶ୍ରଦ୍ଧାର ସହ
ଭକ୍ତ ଚରଣ ମଲ୍ଲ
ନେମ୍ବରା, କେନ୍ଦ୍ରାପଡା ।
11th September 2018.