ଅନନ୍ତ ଅସୀମ ଆହେ
ଅନନ୍ତ ଅସୀମ ଆହେ
ଅନନ୍ତ ଅସୀମ ଆହେ ଅମ୍ବର ଆଧାର
ଗଗନ ଚୁମ୍ବିଛି ଯାର ଦିଗନ୍ତ ଦୁସ୍ତର
ବିଭୁ ପରକାଶେ ଯିଏ ନୀଳ ଅମ୍ବୁଧର
ସେ ତ ସେହି ଜଗନ୍ନାଥ ଜଗତ ଈଶ୍ବର
ମର୍ଯ୍ୟଦା ପୁରୁଷ ରାମ ସେ ପୁରୁଷୋତ୍ତମ
ସିଏ ସେହି ବଂଶୀଧାରି ଗୋପିଙ୍କର ଶ୍ୟାମ
ରସିକ ରାସବିହାରୀ ଯେ ରାସର ବଳେ
ବୃନ୍ଦାବନ ଝୁରେ ଝୁରି ଯମୁନା ଉଛୁଳେ
ଦ୍ୱାପର ଲୀଳାନ୍ତେ ଲୀଳା କଲେ ନୀଳାଚଳେ
ବୈକୁଣ୍ଠବିହାରୀ ହେଲେ ନିବାସ ଉତ୍କଳେ
ରଖିଲ ସାଥିରେ ଭ୍ରାତା ଭଗ୍ନୀ ସୁଦର୍ଶନ
ଦେବାକୁ ନିସ୍ତାର ଦେଲ ଚତୁର୍ଦ୍ଧା ଦର୍ଶନ
ବାନା ବହେ ନାମ ତୁମ ପତିତପାବନ
ଅଧା ଗଢା ଦିଅଁ ତୁମେ ଅଧର ଅମ୍ଳାନ
କେତେ ଭୋଗ ଖଞା ହୁଏ ତୋର ପାଖେ ନିତି
ମାନବୀୟ ଲୀଳା ତୁମ ସଂସାର ପୀରତି
ସିନ୍ଧୁ ଜେମା ପତି ତୁମେ ନୀଳାଚଳ ନାଥ
ନିଳାଦ୍ରୀବିହାରୀ ପ୍ରଭୂ ଅନାଦି ଅନନ୍ତ
ସଂସାରେ ସଚରାଚର ଯାପାଦେ ଆଶ୍ରିତ
ତୁମେ ପ୍ରଭୁ ଜଗନ୍ନାଥ ଜଗତର ନାଥ
ଥିଲ ପ୍ରଭୁ ତୁମେ ଦିନେ ନୀଳ କନ୍ଦରରେ
ବିଦ୍ୟାପତି କଲା ଠାବ ଆସିଲ ବାହାରେ
ମହାପ୍ରଭୁ ଜଗନ୍ନାଥ ହେଲ ପ୍ରତିଭାତ
ବିଶ୍ଵାବସୁ ବିଦ୍ୟାପତି ସେବାକଲେ ନିତ୍ୟ
ଇନ୍ଦ୍ରଦ୍ୟୁମ୍ନ କହିଥିଲା ମୋ ବଂଶ ନରହୁ
ବିଶ୍ଵାବସୁ ବିଦ୍ୟାପତି ନଚାହିଲେ ତହୁଁ
ଜଗତ କଲ୍ୟାଣ ପାଇଁ କଲ କି ବାଞ୍ଛିତ
ପରଂବ୍ରହ୍ମ ପ୍ରଭୁ ତୁମେ ହେଲ ଧରାନତ
ମହୋଦଧି ତଟ ଯହିଁ ନୀଳାଚଳେ ସ୍ଥିତ
ମର୍ତ୍ତ୍ୟ ବଇକୁଣ୍ଠ ଶଙ୍ଖ କ୍ଷେତ୍ରରେ ବିଦିତ
ଭକ୍ତଜନେ ସାମନ୍ତ ତୁ ଆହେ ଜଗନ୍ନାଥ
ଜଗନ୍ନାଥ ଜଗନ୍ନାଥ ଜଗତର ନାଥ