ପୁରୁଷୋତ୍ତମ ଦେବ(33)
ପୁରୁଷୋତ୍ତମ ଦେବ(33)
ପୁରୁଷୋତ୍ତମ ଦେବ(33)
(ଐତିହାସିକ କାବ୍ୟାଂଶ)
ନିଶି ଅବସାନେ ପରାଚୀ ଗଗନେ
ଉଦେ ହେଲେ ଦିନମଣି,
ନବୋଦିତ ସୂର୍ଯ୍ୟ ଅର୍ଚ୍ଚନା ସାରିଲେ
ଉତ୍କଳ ମଉଡମଣି।
ଦଳବଳ ଧରି କାଞ୍ଚି ଛାଡିବାକୁ
ବାହାରିଲେ ଗଜପତି,
ବିହିଲେ ଆଦେଶ ସଙ୍ଗେ ନେବାପାଇଁ
କାଞ୍ଚିଗଡ ଗଣପତି।
କି ସୁନ୍ଦର ! ଜୁଳୁ ଜୁଳୁ ଆଖିଦୁଇ
ବିଘ୍ନ ବିନାଶନଙ୍କର,
ଦେଖି ମନଲୋଭା ଗଣେଶ ବିଗ୍ରହ
ଭଳିଗଲେ ନରବର।
ବୋଇଲେ 'ଆମ୍ଭର ଆରାଧ୍ୟ ଦେବତା
ଅଟନ୍ତି ଶ୍ରୀ ଜଗନ୍ନାଥ,
ତାଙ୍କ ମନ୍ଦିରକୁ ମଣ୍ଡନ କରିବେ
କାଞ୍ଚିର ଏ ଗଣନାଥ।'
ଶ୍ରୀରାଧାଙ୍କ ସଙ୍ଗେ ରାଧା-କାନ୍ତ ମୂର୍ତ୍ତି
ଦେଖି ପୁଣି ଲୋଭକଲେ,
'ପୁରସ୍ତମ ଶ୍ରୀମନ୍ଦିରେ ପୂଜାପାଇଁ
ନେବା' ବୋଲି ଆଦେଶିଲେ।
ରଣ ବିଜୟର ସନ୍ତକ ଥାପିବେ
ଶ୍ରୀମନ୍ଦିରେ କଲେ ମନ,
ରାଜାଙ୍କ ଆଦେଶ ନିମିତ୍ତ ମାତର
ସବୁ ପ୍ରଭୁଙ୍କ ଭିଆଣ।
ରାଣୀ ଅନ୍ତଃପୁରେ ପଡିଛି କାନ୍ଦଣା
ଗଜପତି ପଣ ଶୁଣି,
ଚଣ୍ଡାଳ ହାତରେ ସମର୍ପିବେ ଜେମା
ଉତ୍କଳ ମଉଡମଣି।
କନ୍ୟାକୁ ହୃଦୟେ ଭିଡି ବାରମ୍ବାର
ମୂର୍ଚ୍ଛା ଯାଉଥାନ୍ତି ରାଣୀ,
କାନ୍ଦୁଛନ୍ତି ଅନ୍ତେବାସୀ ,ସହଚରୀ
ହୃଦୟ ହୁଅଇ ହାଣି।
"ଅଲିଅଳ ମୋର ଲବଣୀ ପ୍ରତିମା
ନୟନ ପିତୁଳା ମୋର,
କୋଳ ଛାଡି କାହିଁ ନିଦ ନଯାଉ ତୁ
କିପରି ହେବୁ ଅନ୍ତର?
ଅବିବେକ ପଣେ ପିତା ତୋର ଧନ
ଅଯଥା ଯୁଦ୍ଧ ଲୋଡିଲେ,
ନିଜେ ଦାସ ହୋଇ ତୋ ଭାଗ୍ୟକୁ ପୁଣି
ଚଣ୍ଡାଳ ହସ୍ତେ ବାନ୍ଧିଲେ।
ପୁରୁଷୋତ୍ତମ ସେ ଗଜପତି ତୋତେ
କେତେ ପାଉଥିଲେ ଭଲ,
ପ୍ରଣୟ ସନ୍ତକ ତାଙ୍କ ହୀରାମୁଦି
ତୋ ହାତରେ ଝଲମଲ।
କାବେରୀ ତୀରରେ ପ୍ରଥମ ଦେଖାରେ
ମନେ ଜାଗିଥିଲା ପ୍ରୀତି,
ରୂପାମ୍ବିକା ନାମ ପସନ୍ଦ ନୋହିଲା
ନାମଦେଲେ ପଦ୍ମାବତୀ।
ଚଣ୍ଡାଳକୁ ତତେ ବିଭା ଦେବେ ବୋଲି
କିପରି କରନ୍ତି ପଣ?
ପିତାଅପରାଧ ପାଇଁ ପୁତ୍ରୀ ଦଣ୍ଡ
ପାଇବ କେଉଁ କାରଣ ?"
ଜନନୀ ହୃଦୟ ବେଦନାକୁ ଜାଣି
ରାଜଜେମା ରୂପାମ୍ବିକା,
ଲୁହ ପୋଛିଦେଇ ପ୍ରବୋଧନା ଦେଇ
ବୋଲନ୍ତି "ନକର ଶଙ୍କା।
ସାହାହେବେ ମୋର ପ୍ରଭୁ ଜଗନ୍ନାଥ
ଦୁଃଖୀଜନ ଦୁଃଖହାରୀ,
ହୃଦୟ ମନ୍ଦିରେ ସଦା ପୂଜଇ ମୁଁ
ପ୍ରଭୁ ନୀଳାଦ୍ରି ବିହାରୀ।
କାଞ୍ଚିର ଆରାଧ୍ୟ ଗଣପତି ପରା
ସଙ୍ଗେ ଯାଉଛନ୍ତି ମୋର,
ରାଧା-ରାଧାକାନ୍ତ ଯାଉଛନ୍ତି ପୁଣି
ଜନନୀ ଚିନ୍ତା ନକର।
ଏ ତିନି ଠାକୁର ଯେବେ ନରଖିବେ
ଆଉ କେ ରଖିବ ମୋରେ ?
ଭାଗ୍ୟରେ ଥିଲେ ମୁଁ ହେବି ଚଣ୍ଡାଳୁଣୀ
ପୂର୍ବଜନ୍ମ ପ୍ରାରବ୍ଧରେ।
ଜନମ ସିନା ତୁ ଦେଇଛୁ ଜନନୀ
କରମ ତ ଦେଇନାହୁଁ,
ଭବିତବ୍ୟ ମୋର ନୀର୍ଣ୍ଣୟ କରିବେ
ଜଗନ୍ନାଥ ମହାବାହୁ।
ଦୋଷ ଦେଇ କିବା ଲାଭ ଶ୍ରୀରାଜେଙ୍କୁ
ଦାସ ସେହୁ କର୍ତ୍ତବ୍ୟର,
ପ୍ରଜାନୁରଂଜନ ଉତ୍କଳର ମାନ ଆଗେ
ପ୍ରେମ କିବା ଛାର !
ମର୍ଯ୍ୟାଦାପୁରୁଷୋତ୍ତମ ରାମଚନ୍ଦ୍ର
ଦିନେ ପ୍ରଜାନୁରଂଜନେ,
ପ୍ରାଣସମା ସୀତା ତ୍ୟାଗ କରିଥିଲେ
ସରଯୂତଟ ବିପିନେ।
ଉତ୍କଳ ସଂସ୍କୃତି ଜଗନ୍ନାଥ ନୀତି
ମାନ ବଢାଇବା ପାଇଁ,
ଆଦେଶ କରିବେ ଯେବେ ଗଜପତି
ଗରଳ ପିଇବି ମୁହିଁ ।
ଚଣ୍ଡାଳୁଣୀ ହୋଇ ଦୁର୍ବିସହ ଯେବେ
ହେବ ଜୀବନ ମୋହର,
ମଣିମା ପ୍ରଦତ୍ତ ହୀରାମୁଦି ଶୋଷି
ବିସର୍ଜିବି ପ୍ରାଣ ଛାର ।
ସମର୍ପିତ ହେବ ମୋର ଏ ଜୀବନ
ପ୍ରଭୁଙ୍କ ମାନ ବର୍ଦ୍ଧନେ,
ସାର୍ଥକ ହୋଇବ ମନୁଷ୍ୟ ଜନମ
ପତିତ ପାବନ ଧାମେ।"
ଚାହୁଁ ଚାହୁଁ ମାଆ ଝିଅଙ୍କ ଲୁହରେ
ଭାସିଲା ରାଜପ୍ରାସାଦ,
ତେଣେ ଶୁଭିଲାଣି ଗଜପତିଙ୍କର
ବାହୁଡା ବିଜୟ ବାଦ୍ୟ।
କ୍ରମଶଃ- ----