ଦିଗନ୍ତ
ଦିଗନ୍ତ
ସଞ୍ଜ ନଇଁ ଆସିଲାଣି
ବର୍ଷା ପଡୁନି ଆଉ
ରାତି ହବାକୁ ଅଳ୍ପ ବାକି
ରାସ୍ତା ରେ କେବଳ ମୁଁ ଆଉ ବର୍ଷା ଭିଜା ଛତା ଟି
ଦୁହେଁ ଦୁହିଁ ଙ୍କର ଅତି ଆପଣାର ହେଇଯାଇଚୁ
ଭିଜା ମାଟିର ବାସ୍ନା ଟାଣି ନେଇଛି
ସେଇ ପୁରୁଣା ଦଦରା କୁଡ଼ିଆ ପାଖକୁ
...........................
ଆଉଜା ହେଇଚି ଟିଣ କବାଟ ଟି
ଠେଲି ଭିତରକୁ ପଶିଲି
ଜୀର୍ଣ୍ଣ କାନ୍ଥର ଶୀର୍ଣ୍ଣ କବରୀରେ
ବୋଉ ର ଆବେଗ ବୋଳା ପରସ୍ତ ପରସ୍ତ ସ୍ନେହ
ପୁର୍ଣ ଯୌବନା ଗ୍ରାମବଧୂ ପାଖରୁ ଜେଜେମା ଡାକ ଯାଏ
ପ୍ରତ୍ୟେକ ଅନ୍ତରଙ୍ଗ ମୁହୂର୍ତ ର ମୁକସାକ୍ଷୀ ଏଇ ଘର ଟି
ମୃତ୍ୟୁ ଯେମିତି ହାର ମାନିଚି
ଆଉ ଜୀବନ ର ସ୍ପନ୍ଦନ ଉଦ୍ଜୀବିତ ହେଇଚି
ନିଷ୍ପ୍ରଭ କୁଡ଼ିଆ ଟି ର କୋଣେ କୋଣେ ଜାକିଜୁକି ହୋଇଯାଇଥିବା
ସ୍ମୃତି ମାନଙ୍କର ପଦ ଚାରଣାରେ
.....................................
ବାସ୍ତବତା ର ଦୂରଦିଗ୍ବଳୟ ରେ ଅଦୃଶ୍ୟ ପ୍ରାୟ
ଜୀବନ ର ସଂଜ୍ଞା ...
କାଉଁରୀ କାଠିର ପରଶ ପାଇଛି
ବୋଉ ମୋର ଫେରିଆସିଚି
ବୁଝି ପାରୁନି ...ଏ ସବୁ ମରୀଚିକା ଅବା ଭ୍ରାନ୍ତି ?
ମୋ ଛଳ ଛଳ ଆଖିରେ ଉବୁଟୁବୁ
ସମୟର ପରିଧି
ବ୍ୟସ୍ତ ତାର ସମ୍ଭାବ୍ୟ ଦିଗନ୍ତ ଖୋଜିବାରେ|