କିଏ କହେ ତୁମେ ଯଉବନ ହରା
କିଏ କହେ ତୁମେ ଯଉବନ ହରା
ଚିଲିକା ଗୋ !
ଏବେବି ତୁମେ
ଧରିତ୍ରୀର ଧ୍ରୁବ ସତ୍ୟ
ପ୍ରକୃତିର ପ୍ରୀତି ଝରା
ସୁବର୍ଣ୍ଣା ଅଞ୍ଜଳି ।
ଚିର ସୁକୁମାରୀ
ଇନ୍ଦ୍ରଧନୁର ସପ୍ତ ରଙ୍ଗେ
ରଙ୍ଗାୟିତ ତୁମ ପୁଣ୍ୟ ତନୁ ।
କିଏ କୁହେ ତୁମେ ଯୌବନ ହରା !
ଏବେ ବି,ତୁମରି ଅଙ୍ଗେ ଅଙ୍ଗେ
ଅନିନ୍ଦିତ ଯୌବନ ତରଙ୍ଗ।
ଓଠ ତୁମ ସୁପ୍ତ ଅଗ୍ନି ଶିଖା
କୋମଳ ସ୍ପର୍ଶରେ
ମୃତ ଯୌବନରେ
ଭରିଦେବ ମଧୁର ବାସନା।
ଦେହେ ତୁମ ଭରପୂର
ଉନ୍ମାଦ ଓ ବିଜୁଳି ତରଙ୍ଗ।
ଇଚ୍ଛା ହୁଏ ପିଇ ଯିବି
ତୁମ ରକ୍ତିମ ସନ୍ଧ୍ୟାର ମଧୁ ରସତକ।
କେଉଁ ରାଇଜରେ ଥିଲ ଲୁଚି
ଆସିଲ ମୋ' ଜର୍ଜର ଜୀବନେ।
ବନ୍ଧୁ ଖାଲି ନୁହଁ,
ହେବି ସଖା, ହେବି ସାଥି,
ହେବି ମୁଁ ସାରଥୀ।
ଯଦି କୁହ
ହରେଇଛ ତୁମେ,
ସ୍ଵର୍ଣ୍ଣାଭ ଅତୀତର
କୀରତି ଓ ଗୌରବ ।
ଫେରାଇ ଆଣିବି
ନିଜ ରକ୍ତ ତର୍ପଣରେ ,
ସେ ଅତୀତ
ସେ ଗୌରବ,
ସେଇ ସଂଭ୍ରମତା ।
ମନେମନେ ,
କୋଳେ ତୋଳି
ନେଇ ମୁଁ ସାରିଛି।
ସ୍ଵୀକାରୋକ୍ତି ଅପେକ୍ଷାରେ
ବିତାଉଛି ଖାଲି,
ଦିବସ ରଜନୀ ।
ହେ ପ୍ରିୟା !
ପ୍ରକୃତି କୋଳରେ
ସାର୍ବଭୌମ, ମରାଳ ମାଳିନୀ
ଉଦାର,ନିଷ୍ପ୍ରଭ !
ଚିର ସୌନ୍ଦର୍ଯ୍ୟ ଶାଳିନୀ,
ଗାରିମାରେ ଗରୀୟାନ୍ ।
ମୁକ୍ତ କଣ୍ଠେ ଗାଏ,
ସ୍ୱାଗତ ସଙ୍ଗୀତ ।
ହେବ କି ଗୋ ସ୍ୱାଗତିକା ମୋର !
ଅର୍ପି ଦେଇ ତୁମ ସୁବର୍ଣ୍ଣ ମନ୍ଦିର ?