ମୋ ଗାଁ .....
ମୋ ଗାଁ .....
ମୋ ଗାଁ .....
ସ୍ମୃତି ରଞ୍ଜନ ପାଣିଗ୍ରାହୀ
______ ଖରା ଆସେ
ଗାଁ ଦୀଘି ଗାଧୁଆ ତୁଠରେ
ସ୍ନାନରତା
କୋମଳ ନାରୀର ଦେହ ଛୁଇଁ, ଛୁଇଁ ଆସେ
ଭଙ୍ଗା ଯୋଡ଼ା ସ୍ମୃତି ପଟ
କେଉଁ ଦୂର ,ଭଙ୍ଗା ତୁଟା ମନ୍ଦିର
ଗତର....
ଏତେବେଳେ ହୁଏତ ଉଦାତ୍ତ
ରମଣୀ ର କଣ୍ଠ ସ୍ୱର
ପୁଅ ପାଇଁ ପତି ପାଇଁ
ଆକୁଳ ପ୍ରାର୍ଥନା ପୁଣି
ଆକୁଳ ଚିତ୍କାର.........
ସୂର୍ଯ୍ୟ ଆସେ ଏ ମାଟିକୁ,
ପ୍ରଣିପାତ କରେ ପ୍ରାଣ ଭାରି
ବିଞ୍ଚି ଯାଏ ସୁନେଲି କିରଣ
ଏତେବେଳେ ଦଲକାଏ ପବନ ଆସି
ଉଡେଇ ନିଏ କାଠି କୁଟା
ଶୁଖିଲା ପତର ସବୁ
ଛୁଇଁ ଯାଏ ଆମ୍ବ ଗଛ ସ୍ଥନ.......
ଏତେବେଳେ ଆକାଶରେ ଖଣ୍ଡି ମେଘ
ଭାସି ବୁଲେ ମନ ତଳେ କେତେ
ପ୍ରେମ
ହଜାରେ ବନାନ ଭୁଲ ଚିଠି ସବୁ ସ୍ମୃତି ସବୁ
ହୁଏ ଉଜ୍ଜୀବିତ ପାଏ ତା ଜୀବନ
କେତେ ସମ୍ପର୍କ ର ଉତ୍ଥାନ ପତନ ହୁଏ
କେତେ କାହାଣୀ ଲଭେ ପ୍ରଗଳ୍ଭତା
କେତେ ଭଲ ପାଇବାର ପୁଣି ହୁଏ
ଅବସାନ........
ଏତେବେଳେ ହୁଏତ କୃଷ୍ଣ ଆସନ୍ତି
ଦ୍ଵାରକା ଭୁବନ ଛାଡି
ଟିକି ଘରେ କୁନି କୁନି ଭାଗବତ ଧାଡି
ପଢେ ମୋ ବୁଢୀମା
ଟିକିଏ ତୁଳସୀ ପତ୍ର କିଛି ନିର୍ମାଲ୍ୟ
କଣିକା
ଅଳ୍ପ ଭଲ ପାଇବା ଓ ଅତୁଟ ବିଶ୍ୱାସରେ
ସୃଷ୍ଟି ହୁଏ ଏଠି କେତେ ଶ୍ରଦ୍ଧା ସାର୍ଥକତା
କେତେ ଭକ୍ତିର ଅସରନ୍ତି ସୀମା.......
ନଈରେ କଳା ଭଉଁରୀ ପାଣି ଖେଳେ
ଖେଳନ୍ତି ଆକାଶରେ କାଉ ବଣି ଚିଲ ଓ ଶାଗୁଣା
ଅନ୍ନ ସଂସ୍ଥାନରେ ବ୍ୟସ୍ଥ ସବୁ
ଉଡିବାକୁ ହେବ ଦୂର
ବହୁ ଦୂର
ଲଙ୍ଘିବାକୁ ହେବ ପାହାଡ ପର୍ବତ
ନଈ ନାଳ ସାଗର ଝରଣା ଆଉ
ଖୋଜିବାକୁ ହେବ ପେଟ ପାଇଁ ଦାନା
ଏତେବେଳେ ହୁଏତ ନିଧି ନାହାକ
ଅଙ୍କ କସେ
କରେ କେଉଁ ଗ୍ରହ ଘାତ ଜାତକ ହିସାବ
ଏତେବେଳେ ହୁଏତ ରଘୁ ପଣ୍ଡା
ଗଳା ରେ ଶୁଭେ
ଗୀତା ପାଠ ଭାଗବତ ରାମାୟଣ ଅବା
ଗୀତଗୋବିନ୍ଦ ର ସ୍ୱର....
ଏତେବେଳ କିଶୋର କେହି
କେଉଁ ଦୂର ଆକାଶରେ ହଜି ଯାଇ
ଯିବ ଗାଁ ଗଡ଼ିଆ କୁ
ଭେଟ କରି ପ୍ରଣୟିନୀ ସହ
କହିବ ତା ମନ ର ଖବର......
ଅଥବା ଆଖିରୁ ତା ବାରି ହବ
ପ୍ରଚ୍ଛନ୍ନ ପ୍ରହାର ସବୁ ନିସ୍ତେଜ
ଦ୍ୱିପ୍ରହର.....
ଏତେବେଳେ ହୁଏତ ସାରି ନାହିଁ
କୋଇଲିର ଅମାନିଆ ପ୍ରଭାତ
ବନ୍ଦନା
ଶେଷ ହୋଇ ନାହିଁ କାଉର କର୍କଶ ସ୍ୱର ହଳଦିବସନ୍ତ ର ସ୍ୱର
ଅମାନିଆ.....
ଏତେବେଳେ ହୁଏତ ମୋ ଭିତରେ ମୁଁ ନାହିଁ
ଛାଡି ଯାଇଛି ସହରର ଧୂଳି ମାଟି
ଗାଡି ମୋଟର ପେଁ ପାଁ
ରାଜରାସ୍ତା ଛାଡି
ଫେରିଛି ମୋ ଗାଁ ମାଟିକୁ
ପ୍ରାଣଭରି ପ୍ରଣିପାତ କରି ଲୁଟୁଛି ତା
ଧୂଳି କଣ ଯାହା ମୋ ସହ ଥିବ ଯୁଗ ଯୁଗକୁ