ଘୂର୍ଣ୍ଣିଝଡ଼
ଘୂର୍ଣ୍ଣିଝଡ଼
କେତେ ଯେ ଘୂର୍ଣ୍ଣିଝଡ଼
ଜୀବନର ଚଲାପଥେ
ବିତ୍ପାତ ପବନ ଥୁଣ୍ଟା କରେ
ଶାଗୁଆ ସ୍ଵପ୍ନମାନେ ଝଡିଯାନ୍ତି
ଗୋଟି ଗୋଟି ଆକାଂକ୍ଷାର ମହାଦ୍ରୁମରୁ,
ସଳଖି ନପାରି କିଏ ବଙ୍କା ହୁଏ
ଶୁଖିଯାଏ କିଏ ମୂଳ ଉତ୍ପାଟନେ ।
ହିସାବ କାହିଁ ଧୃଷ୍ଟତାର
ବପୁ ହରାଇ ସାମ୍ନା କରିବାର
ବୟସର ଭାରରେ
କୂଜା ହୋଇଥିବା, ଆଣ୍ଠୁମାଡ଼ି ଥକିଯାଇଥିବା ଲୋକଙ୍କର ?
ଝାପ୍ସା ଦିଶେ ଝାଉଁଳି ପଡିଥିବା ସ୍ଵପ୍ନସବୁ
ପରଳ ପଡିସାରିଥିବା ଆଖି ଦୁଇଟିକୁ,
ପତ୍ରଝଡା ପରେ ନିଆଁ ଲଗାଇ
ପୋଡିବାକୁ ହୁଏ ଉଦାସୀନ ଇଚ୍ଛାମାନଙ୍କୁ ।
ସମୟଟା ଅସ୍ତବ୍ୟସ୍ତ କରେ ଅପରାହ୍ନରେ
ଶୃଗାଳର କୁହାଟ ଶୁଭେ
ଗାଁମୁଣ୍ଡ ମଶାଣିପଠାର ତୋଟାମାଳରୁ ।
ବିନ୍ଦୁରେ ସିନ୍ଧୁ ବୋଧ ହୁଏ
ଅପହଞ୍ଚ ଲକ୍ଷ୍ୟ ସଂକୀର୍ଣ୍ଣ ଅସରନ୍ତି ପଥ
ଅନୁସନ୍ଧାନ କରେ
ଲୋଳିତ ଜୀର୍ଣ୍ଣ ଚମଡାରେ
ପୁଳାଏ ଅନ୍ଧକାର ଆଶ୍ରା କରି
କେବେ ବା ବୋଧ ହୁଏ
ମନସ୍ତାପର ନିରାଶ୍ରୟ ଉପସ୍ଥିତି
ଭଙ୍ଗା ବୃକ୍ଷଡାଳର ଧ୍ଵଂସାବଶେଷରେ ।