ଅପରିଚିତା
ଅପରିଚିତା
ସ୍ଵପ୍ନଭଙ୍ଗା ଅର୍ଦ୍ଧ ରାତ୍ରିକୁ
ସାଇତି ରଖିଛି ସେ ଏବେବି
କଲ୍ପନାରେ ରଙ୍ଗୀନ କରିଛି
ସିନ୍ଦୁରୀ ଚାହାଣିର ଛାପ ଦେଇ
ଲୁଚେଇ ରଖିଛି ଉଦବେଳନ ।
ଭୟ ଲାଗୁଛି ପାଦ ଉଠେଇବାକୁ
କଡ ଲେଉଟାଇବାକୁ
କାଳେ ପୁଣି ଆସି ଯିବ ସେ କାଳରାତ୍ରୀ,
ଅନ୍ତର ଖୋଲି କହିପାରୁନି
ସୀମାହୀନ ସମୁଦ୍ର ଆଗରେ....ଯେ
କଣ୍ଟାର ମୁକୁଟ ପିନ୍ଧି ବସିଥାଅ ହୃଦୟ ସିଂହାସନରେ.....
ସାମ୍ରାଜ୍ୟ ଆଉ ବିପୁଳ ଜୀବନର ଲୋଭକୁ
ଶୂନ୍ୟରେ ଏଡାଇ ଦେଇ
ଭାସୁଥାଅ ଅଥଳ ଜଳରାଶିରେ ।
ମହକେଇ ରଖିଛି ଘର ଦୁଆର
ମୁଠାଏ ତପସ୍ୟାକୁ ଭିତ୍ତି କରି
କାନିରେ ଗଣ୍ଠି ପକେଇ
ସ୍ମୃତିର ଚଉରା ମୂଳକୁ ସାକ୍ଷୀ ରଖି
ଅନାବନା ତାଗିଦ୍ ରେ ଝୁଣ୍ଟୁଛି ବାରମ୍ବାର
କେଜାଣି କେମିତି କାହାର ଶୁଭମାନାସୀ
ପ୍ରତିକ୍ଷା କରିଛି
କେଉଁ ଅନାଗତର ପାଦ ଶବ୍ଦକୁ
ଚାରିପଟେ ଦିନହୀନ କାନ୍ଥ
ଉଜୁଡା ଜୀବନର ପରିସୀମାକୁ ଭୟ ନକରି
ଜଳେଇ ରଖିଛି ସ୍ମୃତିର ସଳିତା ,
କାଳେ ସେ ଆସିବ ବୋଲି
ତୋଳିଆଣି ରଖିଛି
ଛାୟାଘନ ଅନ୍ଧାର, ପକ୍ଷୀର କାକଳି
ସତେ ଯେମିତି ତା’ ସ୍ଵପ୍ନ ଆଉ ଅବେଗର
ଶିଡ଼ି ପାହାଚ ଅନାଇ ରହିଛି
ସେଇ ଋତୁ, ଜହ୍ନ ଆଉ ସେହି ସମୟକୁ
ଯିଏ ଆସି ପୋଛି ଦେବ
ସାଇତି ରଖିଥିବା
ଅସରା ଅସରା ଲୁହକୁ ।