ଏବେ ମୁଁ ତ ବାଟବଣା
ଏବେ ମୁଁ ତ ବାଟବଣା
ଭାବୁଛି ମୁଁ କେତେ କରୁଛି ମୁଁ ଯେତେ
ତୁମକୁ ସବୁତ ଜଣା
ହେଲ ନାହିଁ ପଥ ପ୍ରଦର୍ଶକ ମୋର
ଏବେ ମୁଁ ତ ବାଟବଣା।
ମାଗିଛି କି କେବେ ଧନ ଯଶ ତୋତେ
ଅବା ତୋର ସ୍ଵର୍ଗ ସୁଖ
କେବେ ଲୋଡିନାହିଁ କିଛି ବି ତୋହଠୁ
ଛାଡ଼ି ତୋର ଶିରୀମୁଖ
ଏ ଜୀବନ ଶେଷ ହେଲାଣି ତ ଆସି
ନାହିଁ ଆଉ କିଛି ଆଶା
ଏତିକି ମାଗୁଣି ତୋଠାରେ ମିନତୀ
ନତୁଟୁ ମୋର ଭରସା
ମୋ ଶେଷ ନିଃଶ୍ୱାସ ହେଲାଣି ଅବଶ
ଚାଲିଯିବ ପ୍ରାଣବାୟୁ
ଦିଅ ମୋତେ ଜ୍ଞାନ ରଖିବାକୁ ମନ
ତୋର ଧ୍ୟାନେ ପ୍ରାଣ ଯାଉ
ନାରାୟଣ ନାମ ନେଉଥିବ ମୁଖ
କହିବି ନାହିଁ ମୁଁ ଦୁଃଖ
ହେଉ ପଛେ କଷ୍ଟ ହୋଇ କଣ୍ଠରୋଧ
ହେବି ନାହିଁ ପରାଂମୁଖ
ନେଉଥିବେ ଟାଣି ମୋ ଦେହ ମଶାଣି
ନିସ୍ତେଜ ଥିବ ଶରୀର
ଅଚିନ୍ତ୍ୟ ଆତ୍ମା ମୋ ଅଚିନ୍ତାରେ ଥିବ
ତନୁ ହେଉଥିବ ଖାର
ପ୍ରଶାନ୍ତ କୁମାର ହୋତା