ପୁରୁଷୋତ୍ତମ ଦେବ(27)
ପୁରୁଷୋତ୍ତମ ଦେବ(27)
ପୁରୁଷୋତ୍ତମ ଦେବ(27)
ଐତିହାସିକ କାବ୍ୟାଂଶ
-----------------------------------
ଏଣେ ସ୍ୱର୍ଗପୁରେ ସୁଧର୍ମା ସଭାରେ
ବସିଥିଲେ ଦେବଗଣ,
ବ୍ରହ୍ମା,ରୁଦ୍ର,ସୂର୍ଯ୍ୟ, ଚନ୍ଦ୍ର, ବାୟୁ,ଅଗ୍ନି
ଯମ,ଗନ୍ଧର୍ବ,ବରୁଣ।
'ମାଣିକ ଭକତି' ଆଲୋଚନା ଆଜି
ପଡିଛି ଦେବସଭାରେ,
ସମସ୍ତେ ଚକିତ କେହ୍ନେ ଜଗନ୍ନାଥ
ଦେଖାଦେଲେ ମାଣିକରେ !
କି ଭକତି ବଳେ ଗୋପାଳୁଣୀ ହେଳେ
ଜିଣିଲା ପ୍ରଭୁଙ୍କ ମନ ?
'କେମନ୍ତେ ଜାଣିବା ଗୂଢ ତତ୍ତ୍ବ' ବୋଲି
ଭାଳିହେଲେ ଦେବଗଣ।
ଏ ସମୟେ ଦେବଋଷି ମନଯାନ-
ଚଢି ତହିଁ ପହଞ୍ଚିଲେ,
ମର୍ତ୍ତ୍ୟମଣ୍ଡଳର ସମ୍ବାଦ ଚୁମ୍ବକେ
ଚୁମ୍ବକେ ବଖାଣିଗଲେ।
ପଚାରିଲେ ଦେବଗଣ "କୁହ ମୁନି
ମାଣିକ କାର୍ଯ୍ଯକଳାପ,
କି ଦୃଢ ଭକତି ବଳରେ ଗୁଆଳୀ
ଦେଖିଲା ପ୍ରଭୁଙ୍କ ରୂପ ?
ନିଜେ ଗଜପତି ପ୍ରଭୁଙ୍କୁ ପୂଜନ୍ତି
ଶ୍ରୀମନ୍ଦିରେ ପ୍ରତିଦିନ,
ଦିନେହେଲେ ତାଙ୍କୁ ନିଜରୂପେ, ଦେଖା
ଦେଲେଣି କି ନାରାୟଣ?
କୁହ 'ଗୁଢତତ୍ତ୍ବ' ହେ ବ୍ରହ୍ମାଙ୍କ ସୁତ
ଯାହା ଜାଣିଛ ସଠିକେ,
ଜାଣି 'ଭକ୍ତି ତତ୍ତ୍ବ' ସନ୍ଦେହ ଦୂରିତ
ହେବ ଆମ୍ଭ ଦେବଲୋକେ।"
କହିଲେ ନାରଦ, "ମାଣିକ ଗ୍ରାମରୁ
ଫେରୁଛି ମୁଁ ଏହିକ୍ଷଣି,
କହୁଛି ମୁଁ ଶୁଣ, ଯେ ଭକତିମାର୍ଗେ
ଥାଏ ସେହି ଗୋପାଳୁଣୀ।
ଆହେ ଦେବଗଣ ମାଣିକ ଅଟଇ
ନୀରକ୍ଷର ନାରୀଟିଏ,
ବ୍ରହ୍ମ ପାଇବାର 'ଅଭ୍ୟାସ ଯୋଗ'ର
ଜ୍ଞାନ କି ତାଠାରେ ଥାଏ ?!
ଇନ୍ଦ୍ରିୟ ଲାଳସେ ବଶ ନହୋଇ ସେ
'କର୍ତ୍ତବ୍ୟ କର୍ମ'ରେ ରତ,
ସୁଖରେ ଦୁଃଖରେ ସମଭାବାପନ୍ନ
ତ୍ୟାଗରେ ଥାଏ ସେ ତୃପ୍ତ ।
'କର୍ତ୍ତବ୍ୟକର୍ମ'ର ପାଳନେ ତାପରି
ଜଣେ ନାହିଁ ଧରାଧାମେ,
ସକାଳୁ ଉଠି ସେ ଶୁଦ୍ଧପୂତ ହୋଇ
ଲାଗିଯାଏ ନିଜକର୍ମେ।
ପ୍ରଥମେ ଗୋରୁଙ୍କ ସେବାକରି ପୁଣି
ସେବେ ଗେରସ୍ତର ପାଦ,
ପଶୁ,ପକ୍ଷୀ,ଗୃହଜନଙ୍କର ପେଟ-
ଚିହ୍ନି ଦେଉଥାଏ ଖାଦ୍ୟ।
ଗୋମୟରେ ଲିପିପୋଛି ଘର ପ୍ରତି-
ଦିନ କରେ ଲକ୍ଷ୍ମୀପୂଜା,
ଗେରସ୍ତ ସହିତ ଘର-ବାହାରର
କାମରେ ନଥାଏ ଲଜ୍ଜା ।
ଅସହିଷ୍ଣୁ, ଅହଂକାର ଭାବ ତାର
ମନରେ ନଥାଏ ତିଳେ,
ନିଜଲୋକ ମଣି ପଡୋଶୀଙ୍କ ସଙ୍ଗେ
ଅମାୟୀକ ଭାବେ ଚଳେ।
ଅତିଥି, ବ୍ରାହ୍ମଣ, ଅଭାବୀ ଲୋକଙ୍କ
କଥା ବୁଝୁଥାଏ ସଦା,
ନିଜ ବୃତ୍ତି-ବ୍ୟବସାୟରେ ଠକିବା
ତା'ମନେ ନଥାଏ କଦା।
କର୍ତ୍ତବ୍ୟ ଜୀବନ,କର୍ତ୍ତବ୍ୟ ତା ଭକ୍ତି
ତାଛଡା କିଛି ନଜାଣେ,
ମର୍ତ୍ତ୍ୟମଣ୍ଡଳରେ ନଥିବେ କେ ଜଣେ
ତାପରି ସରଳ ପଣେ।
ଧନଜନ କଥା ନକରେ ସେ ଚିନ୍ତା
'ବର୍ତ୍ତମାନେ' ତାର ସ୍ଥିତି,
ଅତୀତ ବା ଭବିଷ୍ୟତ କଥା ଭାବି
ଦୁଃଖ ନପାଏ ସେ ନିତି।
ସେବାକରି ମନେ ଗର୍ବ ତା ନଥାଏ
ଭାଳେ କରିଛି କର୍ତ୍ତବ୍ୟ,
ହୁଏନାହିଁ ଦୁଃଖେ ଦୁଃଖୀ ସୁଖେ ସୁଖୀ
ନଥାଏ ଅଭାବ ଭାବ।
ଚିନ୍ତା କରେନାହିଁ କର୍ମଫଳପାଇଁ
କର୍ମପାଇଁ କର୍ମକରେ,
ଭାଗ୍ୟକୁ ସେ କେବେ ନିନ୍ଦାକରେନାହିଁ
ଥାଇ ମଧ୍ୟ ବିପଦରେ।
ରାତିରେ ଶୋଇବା ଆଗରୁ ହାତକୁ-
ଯୋଡି କହେ " ନାରାୟଣ !
ସବୁ କର୍ମ ଆଉ କର୍ମଫଳ କଲି
ତୁମ୍ଭପାଦେ ସମର୍ପଣ।
ମୋର ସବୁ କର୍ମ ତୁମ୍ଭ କର୍ମ, ମୋର-
ଧର୍ମସବୁ ତୁମ୍ଭ ଧର୍ମ,
ମୋର ପାଇଁ ମୋର ଚିନ୍ତାନାହିଁ,
ଏଜୀବନ ତୁମର ଅଧୀନ।
କର୍ମପଥେ,ଧର୍ମପଥେ,ସତ୍ୟପଥେ
ରଖିଥାଅ ସଦା ମୋତେ,
ମୋର କର୍ମପାଇଁ ତୁମ୍ଭକୁ ମୁଁ ଦାୟୀ
ନକରେ ହେ କଦାଚିତେ।"
ଏହି ସମର୍ପଣ ଭାବ ହିଁ ପ୍ରକୃତ
ଭକତି ମାର୍ଗ ହେ ଦେବ !
ସେଥିପାଇଁ ପ୍ରୀତହୋଇ ଦେଖାଦେଲେ
ମାଣିକକୁ ବିଶ୍ଵଦେବ।
ଏପରି ଭକ୍ତକୁ ଦେଖାକରିବାକୁ
ପ୍ରଭୁ ନିଜେ ଆଗଭର,"
ଆନନ୍ଦ ହୋଇଲେ ଦେବତାଏ ଶୁଣି
ଭକ୍ତିତତ୍ତ୍ୱ ମାଣିକର।