ମୋ ସ୍ୱପ୍ନର ଓଡିଶା
ମୋ ସ୍ୱପ୍ନର ଓଡିଶା
ହାଣ୍ଡିର ଚାଉଳ ଗୋଟିଏ କଅଣ
ସବୁତକ ଦେଲି ଚିପି
ଗୋଟାଏ ବି କେହି କାମକୁ ନୁହନ୍ତି
ଶେଷରେ ପାରିଲି ମାପି ।
ଯାହା ଆଗେ ଗଲି ଗୁହାରି ଜଣେଇ
ସେ ଥିଲା ସର୍କାରୀ ଜୋଇଁ
ଗୁହାରି ଶୁଣିବା ପଛକୁ ରଖିକି
ଦେଖିଲା ଆଗ କଣେଇ ।
ଛାତି ଧଡ ଧଡ , ମନ ଖଡ ଖଡ
ଧାଇଁଲି ଡାକ୍ତର ପାଶେ
କି ଦେଖିବ ନାଡି, ଉପରୁ ତଳକୁ
ଚାହିଁକି ମୁରୁକି ହସେ ।
ଘରର କବଲା କରିବା ପାଇଁକି
ଯେବେ ଗଲି ଦପ୍ତରକୁ
ସାର୍ ଙ୍କୁ ଫୁର୍ସତ ହେବ ବା କେମିତି
ଫୋନ୍ ହଟେ କି କାନର ପାଖୁ ?
ନର୍ଦ୍ଦମାର ପାଣି ଘରେ ପଶିଲାଣି
ଧାଇଁଲି ପୌର ବିଭାଗେ
ଦେଖୁ ଦେଖୁ ମତେ ଲୁଚିଲେ ସାଆନ୍ତେ
ଆଡସୁରା ଦେଇ ବାଗେ ।
ବୈଶାଖ ମାସର ମୁଣ୍ଡଫଟା ଖରା
ଦହି ଦେଉଅଛି ପ୍ରାଣ
ବିଜୁଳିବାଲାଙ୍କ କିବା ଯାଏ ଆସେ
ଲାଇଟ୍ ଗଲେ ରାତିଦିନ !
ରାସତା ଘାଟର ଅବସ୍ଥା କଥାଟି
ଯେତେ କହିଲେ ବି ଥୋଡା
ଗାଡି ପେଲି ପେଲି ଅବସ୍ଥା ମୋହର
ହୁଏ ବାରଣ୍ଡା ଦି’ କଡା ।
ପାଣି ପାଇପରୁ ସଁ ସଁ ଶବ୍ଦ
ଶୁଣୁଛି ଲଗେଇ କାନ
ପାଣି ବଦଳରେ ଶୀତଳ ପେୟକୁ
ପିଏ ଭାଇ, ମାରି ମନ ।
ସର୍କାରୀ କ୍ୱାଟର ପାଇକି ଗରବ
କରିବାର ଦିନ ଗଲା
ଝରକା କବାଟ ଗୋଟାଏ ଧକ୍କାରେ
ହେଇଯାଏ ଠିଆ ମେଲା ।
ଟ୍ରେନ୍ ବସ୍ ଅଟୋ ଧାଡି ଧାଡି ଛୁଟେ
ପେଟ ଭର୍ତ୍ତି ଯାତ୍ରୀ ନେଇ
ଆୟୁଷ ବଳରେ ଠିକଣା ଜାଗାରେ
ଦିଏ ନେଇ ପହଞ୍ଚେଇ ।
ଶିକ୍ଷା ବିଭାଗର କଥା କି କହିବି
ହେଇଛି ସେ ବ୍ୟବସାୟ
ମାଷ୍ଟ୍ର ଛାତ୍ର ମିଶି ସିନେମା ଦେଖନ୍ତି
ନାହିଁ କା’ ମନରେ ଭୟ ।
ଖଜୁରୀ ଗଛର କିସ ବାହୁନିବି
ମୂଳରୁ ପାହାଚେ ଭରା
ଏଇ ମୋ ଓଡିଶା, ଯାହା ପାଇଁ ସ୍ୱପ୍ନ
ଦେଖିଥିଲି କେତେ ସାରା !