ଅଶ୍ରୁଳ ଶ୍ରଦ୍ଧାଞ୍ଜଳି
ଅଶ୍ରୁଳ ଶ୍ରଦ୍ଧାଞ୍ଜଳି
ଏ ମାଟିର ମଗ୍ନ ମୂର୍ତ୍ତିକାର
ଘେନ ମୋର ଶ୍ରଦ୍ଧା ନିବେଦନ
ସ୍ପର୍ଦ୍ଧିତ ଭାରତୀୟର
ହୃଦୟକନ୍ଦରେ
ଯଶୋଦେହେ ତୁମେ
ଚିରକାଳ ଆୟୁଷ୍ମାନ ।
ଚହଳ ପଡିଛି ଆଜି ତୁମେ
ଛାଡି ଚାଲିଗଲ ବୋଲି
ତୁମେ ତ ରହିଛ ଏଠି ଜଳେ ସ୍ଥଳେ
ଆକାଶେ ଅନୀଳେ
ସାଗରର ସୀମା ଡେଇଁ
ହିମାଳୟ ଚୂଡା ସ୍ପର୍ଶ କରି
ପ୍ରତି ରେଣୁ କଣା ଦେହେ
ଭଲପାଇବାର ମନ୍ତ୍ର ଅବିରତ ଝରେ
ପ୍ରତି ଶ୍ରଦ୍ଧାଳୁହୃଦୟ ତପ୍ତ ଅଶ୍ରୁ ଜଳେ ।
କିଏ କୁହ ଭଲପାଏ ଏ ଦେଶକୁ ତୁମପରି
ଅଟଳ, ଅଚଳ ଆଉ ସ୍ଥିରତା ର ସହ
ଅତୁଳନୀୟ ସେ ଦେଶପ୍ରୀତି ଆଉ
ଆତ୍ମବିଶ୍ବାସ ଓ ସ୍ୱାଭିମାନ
କାଳେ କାଳେ ହେଉ ପ୍ରତି
ମଣିଷର ଧେୟ।
କିଏ କଣ ତୁମ ଭଳି ଆଘାତରେ
ବିଖଣ୍ଡିତ ହୋଇ
ଉଛୁଳାଇ କୂଳ ଲଂଘି ଆଗେ ଯାଏ ମାଡି
କିଏ କାହିଁ ତୁମ ପରି
କାଶ୍ମୀରରୁ କୁମାରିକା ଯାଏ
ଜନନୀ ଜନ୍ମଭୂମିର ଜୟଗାନ
ମା, ମାଟି ମମତାର ମନ୍ତ୍ର ଯାଏ ପଢି।
ଭଙ୍ଗା କାଚ ଟୁକଡା ରେ ଥୋଇ ପାଦ
ସ୍ପର୍ଦ୍ଧିତ ସେ ଉଦାତ୍ତ ଉଲ୍ଲାସେ
ମଥାଟେକି ଚାଲିବାର ଆତ୍ମଜ୍ଞାନ ଅତୁଟ ବିଶ୍ୱାସ
କହିକି ପାରିବ ଆଜି ଅଛି କାହାପାଶେ ?
ବିଶାଳ ହୃଦୟ ତୁମ
ସଭିଏଁ ତୁମରି ଆପଣାର
ରାଜନିତୀ ଠାରୁ ଥିଲା ଉର୍ଦ୍ଧ୍ବ ଦେଶପ୍ରୀତି
ଆଉ ଜନ , ସମାଜ କଲ୍ୟାଣ
ନୂଆ କରି ଗଢିବାର ନୂତନ କୌଶଳ
ଅମୃତ ହୃଦୟ ତୁମ କିଛି ବୁଝିଥୂଲା
ବିଶ୍ୱାସଘାତକତାର ଏ ପଶାପାଲି ଖେଳ ।
ହେ ଯୁଗପୁରୁଷ,ତୁମେ ଫେରାଇଲ ମୁହଁ
ଅସମୟେ, ଅସହାୟ ହୋଇ
ନିରବରେ ଆଦରିଲ କ୍ରୁର ବ୍ଯାଧିକୋଳ
ଆଜି ଯେଉଁ କାପୁରୁଷମାନଙ୍କ ମୁଖରେ
ତୁମ ଜୟ ଜୟକାର
ଘୃଣା ହୁଏ ଭାବିବାକୁ ସତରେ ଏଦେଶକୁ କି
ଏକମାତ୍ର ଭରସା ଏ ଜାରଜ ସକଳ !
ନୂଆ କରି ଗାଇଥିବା ଗୀତ ତୁମ
ଅକାଳରେ ହଜିଯାଇଥିବା ସବୁ ପ୍ରଗତିର ସ୍ୱପ୍ନ
ଆଶୀର୍ବାଦ କର ଆଜି ଏ ମହାଜାତିକୁ
ସଫଳ କରିବା ପାଇଁ
ସାଧନା ଓ ସିଦ୍ଧି ପଥେ
ହୋଇଯାଉ ସେ ଦୂରନ୍ତ ତପସ୍ଯାରେ ମଗ୍ନ ।